ବିଜେପିର ନିର୍ବାଚନୀ ଇସ୍ତାହାର : ମହିଳାଙ୍କୁ ମାଗଣା ଶିକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରବିବାର ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ‘ସଙ୍କଳ୍ପ ପତ୍ର’ ନାମରେ ନାମିତ ଇସ୍ତାହାରକୁ ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସିଏଏ (ନାଗରିକ ସଂଶୋଧନ ଆଇନ)କୁ କାର୍ଯ୍ୟକାରୀ କରାଯିବ। ବିଗତ ୭୦ ବର୍ଷ ଧରି ରାଜ୍ୟରେ ବାସ କରୁଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ପ୍ରତି ୫ ବର୍ଷ ପାଇଁ ୧୦,୦୦୦ ଟଙ୍କା ହିସାବରେ ଅର୍ଥ ପ୍ରଦାନ କରାଯିବ। ନର୍ସରୀଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣା ଶିକ୍ଷା ସମେତ ରାଜ୍ୟ ସରକାରଙ୍କ ଚାକିରିରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି।