ମିଶନ ଶକ୍ତି ଶ୍ରେୟ ନେବାକୁ ବିଜେପି,କଂଗ୍ରେସ କଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଶନ ଶକ୍ତି ଅଧୀନରେ ଭାରତ ୩୦୦ କିମି ଦୂରରେ ଥିବା ସ୍ୟାଟେଲାଇଟକୁ ନଷ୍ଟ କରିବାରେ ସଫଳ ହୋଇଛି । ମାତ୍ର ୩ ମିନିଟ ମଧ୍ୟରେ ଏଭଳି ଶକ୍ତିଶାଳୀ ଅପରେସନ କରାଯାଇଛି । ଏଭଳି କ୍ଷମତା ହାସଲ କରିବାରେ ଆମେରିକା, ରୁଷ୍‌ ଓ ଚୀନ୍‌ ପରେ ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ।

ମିଶନ ଶକ୍ତି ଭଳି ଶକ୍ତିଶାଳୀ ଅପରେଶନ ପାଇଁ ଦୀର୍ଘ ୪୦ ବର୍ଷ ମଧ୍ୟରେ ଇସ୍ରୋ ପକ୍ଷରୁ ଏକାଧିକ ସ୍ୟାଟେଲାଇଟର ଉତ୍‌କ୍ଷେପଣ କରାଯାଇଛି । ତେବେ ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ହୋଇ ଥିବାରୁ ନାସା ବର୍ଷକୁ ଯେତିକି ଟଙ୍କା ଖର୍ଚ୍ଚ କରେ, ତା’ର ଅଧା ଅର୍ଥ ଏହି ୪୦ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି । ଏହାର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଆରଡିଓର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଏହାର ସଫଳତା ପରେ ବିଜେପି ସମସ୍ତ ଶ୍ରେୟ ନିଜ ଆଡ଼କୁ ନେଉଥିବା ବେଳେ ଉପା ସରକାର ଅମଳରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସ ନେତା ଅହମ୍ମଦ ପଟେଲ ଏ ନେଇ ଟୁଇଟ୍‌ କରି କହିଛନ୍ତି, କଂଗ୍ରେସ ସରକାର ଥିବା ବେଳେ ମିଶନ ଶକ୍ତି ଆରମ୍ଭ ହୋଇଥିଲା, ଯାହା ଏବେ ସଫଳ ହୋଇଛି । ବୈଜ୍ଞାନିକମାନଙ୍କ ଦୀର୍ଘଦିନର ପରିଶ୍ରମର ଶ୍ରେୟକୁ ମୋଦି ନେବାକୁ ଚେଷ୍ଟା କରୁଛନ୍ତି । ଏଥିସହ ସେ କଂଗ୍ରେସ ପକ୍ଷରୁ ଡିଆର୍‌ଡିଓର ବୈଜ୍ଞାନିକମାନଙ୍କୁ ସେମାନଙ୍କ ସପଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କୁ ବିଶ୍ୱ ନାଟକ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ନିର୍ବାଚନର ଦିନ କେଇଟା ପୂର୍ବରୁ ମୋଦି ଏଭଳି ଘୋଷଣା କରିଥିବାରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ମମତା ମାନାର୍ଜୀ ଟୁଇଟ୍‌ କରିଛନ୍ତି । ଏହା ବିରୋଧରେ ସେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a comment

You cannot copy content of this page