ସରକାରୀ କର୍ମଚାରୀ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତବ୍ୟ ଅପରାଧ ଏବଂ ଦଣ୍ଡନୀୟ : ଗୋଲକ ମହାପାତ୍ର

0

ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ସଂପୃକ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ ରାଜ୍ୟ ନିର୍ବାଚନ କମିଶନ
ନୟାଗଡ ଜିଲ୍ଲା ଓଡଗାଁ ବିଡିଓଙ୍କ ନିର୍ଦ୍ଦେଶରେ ଭିଏଲଡବ୍ଲ୍ୟୁ ମାନେ କାର୍ଡ ପାଇନଥିବା ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଭତା ବଂଟନ କରି ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଉଛନ୍ତି କୋଭିଡ ଗାଇଡଲାଇନକୁ ଜଳାଞ୍ଜଳୀ ଦେଇ ଡମପଡା-୩୮ ନମ୍ବର ଓ ଉତର ଭୂବନେଶ୍ୱର–୩୦ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସରକାରୀ କଳ ଓ ବଳ ଏବଂ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ବ୍ୟାପକ ଭାବେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ଶାସକ ବିଜେଡି । ଶାସନ କ୍ଷମତାର ଚାପ ପ୍ରୟୋଗ କରି ସରକାରୀ ଅଫିସରମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରାଯାଉଛି ।ସରକାରୀ କର୍ମଚାରୀ ଓ ଅଫିସରଙ୍କ ଜରିଆରେ ନିରୀହ ଓ ସରଳ ଭୋଟରମାନଙ୍କୁ ଭୟଭୀତ କରାଇବାର କାର୍ଯ୍ୟ ମଧ୍ୟ ଶାସକ ବିଜେଡି କରୁଛି । ପ୍ରତ୍ୟେକ ଦିନ ଏଭଳି ବେଆଇନ ଏବଂ ଅଗଣତାନ୍ତ୍ରୀକ କାର୍ଯ୍ୟ ହେଉଥିବାର ସାମ୍ନାକୁ ଆସୁଛି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟୀ ପ୍ରତିଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରୁଛି । ସରକାରୀ କର୍ମଚାରୀ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁସମର୍ଥନ କରିବା ଧର୍ତବ୍ୟ ଅପରାଧ ଏବଂ ଦଣ୍ଡନୀୟ । କିନ୍ତୁ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସାହାସରେ ସରକାରୀ କର୍ମଚାରୀ ଓ ଅଫିସରମାନେ ଖୋଲାଖୋଲି ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟ ବିରୁଦ୍ଧରେ ସଂପୃକ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ । ଯଦ୍ୱାରା ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହୋଇପାରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି । ଭୋଟକୁ ପ୍ରଭାବିତ କରିବା ଭଳି କୈାଣସି କାର୍ଯ୍ୟ ହେବା ଆଇନ ବିରୋଧୀ ଓ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । କିନ୍ତୁ, ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ପନ୍ତିକାରୀ ଗ୍ରାମ ପଂଚାୟତର ଭିଏଲଡବ୍ଲ୍ୟୁ ମାନେ ବ୍ଲକ କାର୍ଯ୍ୟାଳୟରୁ କାର୍ଡ ପାଇନଥିବା ହିତାଧିକାରୀ ତଥା ଭୋଟରମାନଙ୍କୁ ଡାକି ବାର୍ଦ୍ଧକ୍ୟ ଭତା ବଂଟନ କରି ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ।

ସେହିପରି କୋଭିଡ କଟକଣା କାରଣରୁ ନିର୍ବାଚନୀ ପ୍ରଚାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କିନ୍ତୁ ଶାସକ ବିଜେଡିର ନେତା ଓ କାର୍ଯ୍ୟକର୍ତାମାନେ କୋଭିଡ ଗାଇଡଲାଇନର ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ଶତାଧିକ ଦଳୀୟ କାର୍ଯ୍ୟକର୍ତାଙ୍କ ଗ୍ରହଣରେ କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀର ଡମପଡା ବ୍ଲକ ଅନ୍ତର୍ଗତ ୩୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଶିଷ କୁମାର ସାହୁ ଏବଂ ଉତର ଭୂବନେଶ୍ୱର ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ୩୦ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କ ନିର୍ବାଚନ ପ୍ରଚାର କରାଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି ।କୋଭିଡ ଗାଇଡଲାଇନ ଏବଂ ରାଜ୍ୟ ନିର୍ବାଚନ କମିଶନ ଗାଇଡଲାଇନର ଉଲ୍ଲଂଘନ କରିଥିବା କାରଣରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ସରକାରୀ କଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମମାନଙ୍କୁ ପ୍ରଭାବିତ କରୁଥିବାର ଅନେକ ଘଟଣାର ତଥ୍ୟ ଓ ପ୍ରମାଣ ଅତୀତରେ ଏବଂ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ନିର୍ବାଚନ କମିଶନ ଆଇନ ଖିଲାପକାରୀ ସରକାରୀ ଅଫିସରଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିଜେପି ଧାରଣା ପ୍ରଦର୍ଶନ କରିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲସେଲ ସଂଯୋଜକ ଜୟନ୍ତ ଜେନା, ରବିଶଂକର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment