ଓଡିଶାରେ ମହିଳା ବିପଦରେ ଅଛନ୍ତି, ସତ ପଦାରେ ପକାଇଛି ଏନସିଆରବି ରିପୋର୍ଟ : ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୪୮ଦିନ ବ୍ୟାପି ମମିତା ମେହେର ହତ୍ୟା ପ୍ରତିବାଦରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିଜେପି ପ୍ରତିବାଦ ଚାଲୁ ରଖିଛି । ବିରୋଧୀ ଦଳମାନେ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିନାହାନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଘୋଷଣା କରାଯାଇଛି । କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ଅଘୋଷିତ ଭାବେ ଶାସକ ଦଳ ଦ୍ବାରା ପ୍ରତିହିଂସା ପରାୟଣ ହୋଇ ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆକ୍ରମଣ କରାଗଲା ତାହାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିନ୍ଦା କରିଛନ୍ତି । ବିଜେଡ଼ି ଶାସନରେ ଓଡିଶାରେ ମହିଳା ବିପଦରେ ଅଛନ୍ତି, ଏହା ଗୁରୁବାର ଘଟଣାରୁ ପ୍ରମାଣିତ ହୋଇଛି । ଏନସିଆରବି ରିପୋର୍ଟ ସବୁ ସତକୁ ପଦାରେ ପକାଇଛି । ମମିତା ମେହେରଙ୍କୁ ନିର୍ମମ ହତ୍ୟା କରାଗଲା । କିନ୍ତୁ ରାଜ୍ୟ ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କଲେ ନାହିଁ ।

ଗୁରୁବାର ଯେଉଁଭଳି ଭାବେ ବିଜେଡ଼ି କର୍ମୀମାନେ ଭାଣ୍ଡାମି କରିଛନ୍ତି, ଓଡିଶାରେ ଗଣତନ୍ତ୍ର ବିପଦରେ ଅଛି ବୋଲି ଜଣାପଡୁଛି । ସରକାରୀ ଦଳ ଏତେ ଅସହିଷ୍ଣୁ କାହିଁକି ହୋଇଯାଉଛି । ଗଣତନ୍ତ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଗତ କିଛି ଦିନ ହେବ ସାମ୍ନାକୁ ଆସିଛି । ଗଣମାଧ୍ୟମରେ ବିଭିନ୍ନ ଡିବେଟ ହୁଏ । ବିଜେପିର ଜଣେ ପ୍ରବକ୍ତାଙ୍କୁ ବିଜେଡ଼ିର ଜଣେ ପ୍ରବକ୍ତା ଡିବେଟ ସରିବା ପରେ ଯେଉଁଭଳି ଭାବେ ବ୍ୟବହାର କଲେ ତାହା ନିନ୍ଦନୀୟ । ରାଜ୍ୟ ସରକାରଙ୍କୁ ଏଭଳି ଅସାମ୍ବିଧାନିକ କାର୍ଯ୍ୟ ନକରିବା ପାଇଁ ବିଜେପି ଚେତାବନୀ ଦେଇଛି ।

Leave a comment