ନବୀନଙ୍କ ଆଗରେ ହାର ମାନିଲା ବିଜୟଙ୍କ ସ୍ୱାଭିମାନ
ଓଡିଶା ଫାଷ୍ଟ(ବ୍ୟୁରୋ): ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୫୧୬୨ ଖଣ୍ଡ ଭୋଟ ମିଳିଛି, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭୫୦୭ ଖଣ୍ଡ ଭୋଟ ମିଳିଛି ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ୨୦୯୦ ଖଣ୍ଡ ଭୋଟ । ପାଟକୁରାରେ ବାଜିମାରିଲା ବିଜେଡି । ନବୀନଙ୍କ ଯାଦୁ ଆଗରେ ହାରିଗଲା ବିଜୟଙ୍କ ସ୍ୱାଭିମାନ । ବିଜୟଙ୍କୁ ବିଧାନସଭାରେ ପୁରାଇ ନଦେବାକୁ ନବୀନ ଯେଉଁ ପଣ କରିଥିଲେ ସେଥିରେ ସେ ସଫଳ ହେଲେ । ଯେଉଁ ବିଧାନସଭାରେ ଦିନେ ଉପମୁଖ୍ୟମନ୍ତ୍ରୀ ହେବାକୁ ବିଜୁବାବୁଙ୍କ ସହ କରିଥିବା ବିଶ୍ୱାସଘାତକତାର ପ୍ରତିଶୋଧ ନେଲେ ନବୀନ ।
ସୂଚନା ଅନୁଯାୟୀ, ପାଟକୁରା ନିର୍ବାଚନୀ ପ୍ରଚାର ସମୟରେ “ସ୍ୱାଭିମାନ” ଓ “ବେଇମାନ” ଶବ୍ଦ ଅଧିକ ବ୍ୟବହୃତ ହୋଇଥିଲା । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିଜକୁ ସ୍ୱାଭିମାନର ପ୍ରତୀକ ବୋଲି ଅଭିହିତ କରୁଥିଲେ । ହେଲେ ଅପରପକ୍ଷରେ ବିଜେଡ଼ି ତାଙ୍କୁ ବେଇମାନର ଆଖ୍ୟା ଦେଇଥିଲା । ୧୯୯୫ ରୁ ୨୦୦୨ପର୍ଯ୍ୟନ୍ତ ବିଜୟଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିଲା ବିଜେଡି । ବିଜୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାକୁ ବିଜୁବାବୁଙ୍କ ସହ କରିଥିବା ବିଶ୍ୱାସଘାତକତାକୁ ନବୀନ ଆଜି ପର୍ଯ୍ୟନ୍ତ ଭୁଲିନାହାନ୍ତି ବୋଲି ପ୍ରମାଣିତ କରିଛନ୍ତି ।