ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ୧ ତାରିଖରେ ରାଜଭବନ ଘେରିବ ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ବୃଦ୍ଧି ଥମିବାର ନାଁ ନେଉନାହିଁ । ଯାହାକି ସାଧାରଣ ଜନତା ଙ୍କୁ ଅସ୍ତବ୍ୟସ୍ତ କରିସାରିଲେଣି । ଏହାକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଆସନ୍ତା ୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୂଚନାନୁଯାୟୀ, ଗତକାଲି ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ କହିଛନ୍ତି ଯେ ‘ଅଚ୍ଛେଦିନ’ ର ସ୍ଲୋଗାନ ଦେଇ ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗଠନ କରିଥିଲେ । ମାତ୍ର ଦରଦାମ ନିୟନ୍ତ୍ରଣ କରିବା ବଦଳରେ ସବୁର ଦରକୁ ବଢ଼ାଇ ଚାଲିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି, ୨୦୧୩-୧୪ ମସିହାରେ କେବଳ ପେଟ୍ରୋଲିୟମ ସାମଗ୍ରୀରୁ ୮୮,୬୦୦କୋଟି ଟଙ୍କାର ଜାତୀୟ ରାଜସ୍ୱ ପାଉଥିବା କେନ୍ଦ୍ର ସରକାର ୨୦୧୬-୧୭ ମସିହାରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ୨୮୫% ଅଧିକ ଜାତୀୟ ରାଜସ୍ୱ ପାଉଛନ୍ତି । ଯାହାର ପରିମାଣ ୨ଲକ୍ଷ ୫୩ହଜାର ୨୫୪କୋଟି ଟଙ୍କା । ବିଶ୍ୱବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଲେ ମଧ୍ୟ ଖାଉଟିଙ୍କୁ ଏହାର ଫାଇଦା ମିଳୁନି । ପେଟ୍ରୋଲ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟିକୁ ୯ଟଙ୍କା ୨୦ ପଇସାରୁ ୧୯ଟଙ୍କା ୪୮ ପଇସା ଏବଂ ଡିଜେଲ ଲିଟର ଉପରେ ୩ ଟଙ୍କା ୪୬ ପଇସାରୁ ୧୫ଟଙ୍କା ୩୩ ପଇସାକୁ ବୃଦ୍ଧି କରିଛନ୍ତି । ସେହିପରି ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରି ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ଉଜ୍ଜଳା ଯୋଜନାରେ ଏଲପିଜି ଯୋଗାଣ ନାଁରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି ।

କିଛିଦିନ ପୂର୍ବରୁ ବିଜେଡି ୩ଦିନ ଧରି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା । ଏବେ ୧ ତାରିଖରେ ରାଜଭବନ ଆଗରେ ଧାରଣା ଓ ବିକ୍ଷୋଭ କରାଯିବ । ଏଥିରେ ଦଳର ଯୁବ,ଛାତ୍ର, ମହିଳା ଓ ସମସ୍ତ ବର୍ଗର ନେତାମାନେ ସାମିଲ ହେବେ ବୋଲି ଏହି ସାମ୍ବାଦିକ ସମ୍ବିଳନୀରେ ଦଳ ଚେତାବନୀ ଦେଇଛି ।

Leave a comment