ଆଉ ବିଜେଡି ଆପଣେଇବନି ସମଦୂରତା ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମେଣ୍ଟ ଗଢ଼ୁଥିବା ବେଳେ ବିଜେଡି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ଏପରିକି ବିଜେପି ଓ କଂଗ୍ରେସ ସହ ବିଜେଡି ସବୁବେଳେ ସମଦୂରତା ନୀତି ଆପଣାଇବ ବୋଲି ଦଳର ସୁପ୍ରିମୋ କହିଥିଲେ । ହେଲେ ଓଡ଼ିଶାରେ ନିର୍ବାଚନ ସରିବା ପରେ ରାଜନୀତିରେ ସମୀକରଣ ଧିରେଧିରେ ବଦଳିବା ଆରମ୍ଭ ହୋଇଥିବା ଦେଖାଯାଇଛି । ଫନୀ ବାତ୍ୟା ପରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ହେଲିକାପ୍ଟରରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ବିଜେଡିର ସମଦୂରତା ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ହୋଇଥିଲା ।
ସେହିପରି ଆଜି ବିଜେଡି ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ ବୋଲିକହି ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ କହିଛନ୍ତି, ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବାକୁ ଓଡ଼ିଶାବାସୀ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ ସହ ମେଣ୍ଟ କରି ପ୍ରଧାନମନ୍ତ୍ରୀ ହେବା ଅନୁଚିତ । ଏଥିସହ ବିଜେଡି ଏଥର ସମଦୂରତା ନୀତି ନ ଆପଣେଇ ଯିଏ ଓଡ଼ିଶା ପାଇଁ କାମ କରିବ ତାକୁ ଦଳ ପକ୍ଷରୁ ସହଯୋଗ କରାଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି । ମନ୍ତ୍ରୀ ପାତ୍ରଙ୍କର ଏଭଳି ମନ୍ତବ୍ୟ ପରେ ବିଜେଡି ମେଣ୍ଟରେ ସାମିଲ ହୋଇପାରେ ବୋଲି ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।