କୋଭିଡ କଟକଣାକୁ ନିୟମିତ ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସାଂସଦ: ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ନେତାମାନେ ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଆଜି ଫ୍ଲାଇଓଭର ଭୂମିପୂଜନ ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ଓ ତାଙ୍କ ସମର୍ଥକମାନେ ସବୁ ସୀମା ଟପିବା ସହିତ ସାମାଜିକ ଦୂରତ୍ୱ ନିୟମକୁ ଏକ ପ୍ରକାର ଅଳିଆଗଦାକୁ ଫିଙ୍ଗିଦେଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ସାଂସଦ ଶ୍ରୀମତୀ ଷଡଙ୍ଗୀ କୋଭିଡ ମାର୍ଗଦର୍ଶିକା ନମାନି ସାମାଜିକ ଦୂରତ୍ୱ ନିମୟକୁ ଉଲ୍ଲଙ୍ଘନ କରିଥିଲେ । ଏଭଳି ଭୁଲ୍‍କୁ ସେ ନିଜେ ସ୍ୱୀକାର କରିଥିବାବେଳେ ଏଥିପାଇଁ ବିଜେପି ମଧ୍ୟ ଦୁଃଖପ୍ରକାଶ କରିଥିଲା । ଏହା ପରେ ବି ସେ ନିୟମିତ ଭାବେ କରୋନା କଟକଣା ନିୟମକୁ ଅମାନ୍ୟ କରି ଚାଲିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଓଡିଶାର ସାଢେ ଚାରିକୋଟି ଲୋକ ଗ୍ରହଣ କରି କୋଭିଡ କଟକଣାକୁ ମାନି ଚଳୁଥିବାବେଳେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଭାବେ ସାଂସଦ ଷଡଙ୍ଗୀ ବାରମ୍ବାର ନିୟମ ଉଲ୍ଲଙ୍ଘନ କରିବା ଖରାପ ଉଦାହରଣ ସୃଷ୍ଟି କରୁଛି । ତେଣୁ ଓଡିଶାର ଜନସାଧାରଣଙ୍କ ପାଇଁ ଏଭଳି ଖରାପ ଉଦାହରଣ ସୃଷ୍ଟି ନକରିବା ସହିତ ସାଂସଦ ଷଡଙ୍ଗୀ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ ମାର୍ଗଦର୍ଶିକାକୁ ମାନିବାପାଇଁ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ପରାମର୍ଶ ଦେଇଛନ୍ତି ।

Leave a comment