ଆତ୍ମବିଶ୍ୱାସ ହରାଇଲେଣି ବିଜେପି ଓ କଂଗ୍ରେସ: ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ସରକାର ସଫଳ କରୋନା ମୁକାବିଲା ସହିତ ଯେଭଳି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି ତାହା ଦେଖି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ଆତ୍ମବିଶ୍ୱାସ ହରାଇଲେଣି । ସେମାନେ କେବଳ ରାଜ୍ୟ ସରକାରଙ୍କର ଏଭଳି ସଫଳତାକୁ ନୁହେଁ ବରଂ ସାଢେ ଚାରିକୋଟି ଓଡିଶାବାସୀଙ୍କ ତ୍ୟାଗକୁ ଉପହାସ ଲାଗି ଭିତ୍ତିହୀନ ଅଭିଯୋଗମାନ ଆଣୁଛନ୍ତି । ବିଜେପି ନେତା ପୃଥ୍ୱୀରାଜ ହରଚିନ୍ଦନଙ୍କ ଅଭିଯୋଗର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ, ସମସ୍ତ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଦରରେ ମାସ୍କ ଖରିଦ କରୁଥିବାବେଳେ ଓଡିଶା ସରକାର ଅନୁରୂପ ଭାବେ କେନ୍ଦ୍ରୀୟ ଦର ଅନୁଯାୟୀ ମାସ୍କ କିଣି କୌଣସି ଭୁଲ୍‍ କରିନାହାନ୍ତି । କରୋନା ମୁକାବିଲାରେ ନିୟୋଜିତ ଯୋଦ୍ଧାମାନେ କ’ଣ ବିନା ମାସ୍କରେ ଜୀବନକୁ ବାଜି
ଲଗାଇ କାମ କରନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଚାହାନ୍ତି କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି ଯେ, ଲୋକଙ୍କ ଜୀବନ ସବୁଠାରୁ ମୂଲ୍ୟବାନ ହୋଇଥିବାରୁ ବିଜେଡି ସରକାରର ସଫଳ କାର୍ଯ୍ୟ ପ୍ରତି ବିଜେପି ଇର୍ଷାନ୍ୱିତ ହେବା ଉଚିତ୍‍ ନୁହେଁ । ଏଭଳି ସ୍ଥିତିରେ ଉଭୟ ଦଳ ଶସ୍ତା ରାଜନୀତି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଓଡିଶାବାସୀ ବେଶ୍‍ ସଚେତନ ଏବଂ କେଉଁଟି ସତ୍ୟ ଓ କେଉଁଠି ମିଥ୍ୟା ତାହା ସେମାନେ ଭଲ ଭାବେ ଜାଣନ୍ତି । ତେଣୁ ବର୍ତ୍ତମାନ ସମୟରେ ଏଭଳି ଭିତ୍ତିହୀନ ଅଭିଯୋଗ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସବୁସ୍ତରରେ ନିନ୍ଦନୀୟ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave a comment