ସୌମ୍ୟଙ୍କ ବିପକ୍ଷରେ ଐତିହାସିକ ପଦକ୍ଷେପ ନେଲେ ବିଜେଡି ସୁପ୍ରିମୋ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୌମ୍ୟଙ୍କ ସମ୍ପାଦକୀୟ ଝଡ଼ ଏବେ ନୂଆ ରୂପ ନେଇଛି । ସୌମ୍ୟଙ୍କୁ ଦଳରୁ ବହିଷ୍କାର ତ କରିପାରିଲେନି ଶେଷରେ ଲୋକ ଦେଖାଣିଆ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି ବିଜେଡି ବୋଲି ଉପହାସ କରି କିଛି ବରିଷ୍ଠ ନେତା ମୁରୁକି ମୁରୁକି ହସି କହିଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସଭାପତି ପଦରୁ ବିଦା କରାଯାଇଛି । ଏହାକୁ ନେଇ ଅନେକ ସମାଲୋଚନାର ଶିକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବୋଧହୁଏ ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କୁ ଲୋକଦେଖାଣିଆ ଯେଉଁ ଛାଟ ମାରିଛନ୍ତି ସେଥିରେ ସୌମ୍ୟ ବାବୁଙ୍କର ତ କୌଣସି ଅସୁବିଧା ହେବନାହିଁ । ବରଂ ଏହି ନିଷ୍ପତ୍ତି ପରେ ଏପରି ପ୍ରତିପାଦିତ ହେଉଛିକି ନବୀନ ବାବୁ ଆଶା ବାନ୍ଧି ବସିଛନ୍ତି ସୌମ୍ୟ ବାବୁ ତାଙ୍କୁ ଓ ପାଣ୍ଡିଆନ ସାରଙ୍କୁ ଭୁଲ ମାଗି ଫେରି ଆସିବେ । ସେହି ଆଶା ରଖି ଗତ କିଛିଦିନ ହେଲା ୫ଟି ସଚିବଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବହିଷ୍କାର କରିବା ବଦଳରେ କେବଳ ଉପସଭାପତି ପଦରୁ ବିଦା କରିଛନ୍ତି ।
ଏହି ବହିଷ୍କାର ପରେ ସୌମ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ମୁଁ ଯେଉଁ ପଦରେ ଥିଲି ତାହା କେବଳ ଏକ ଅଳଂକାରୀଙ୍କ ପଦ । ଏଥିରେ ମୋର କୌଣସି କାର୍ଯ୍ୟ ନଥିଲା । ତେଣୁ ମୁଁ କ’ଣ ହରେଇଲି । ମୁଁ କିଛି ହରେଇ ନାହିଁ । କିଛିଦିନ ତଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖାକରିବାକୁ ମୁଁ ଦୁଇ ମିନିଟ ସମୟ ମାଗିଥିଲି। ମତେ କୌଣସି ଉତ୍ତର ମିଳି ନଥିଲା । ତେବେ ଆଜି ଚିଠିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ତାକୁ ନେଇ ମୋର ସନ୍ଦେହ ସୃଷ୍ଟି ହୋଇଛି”।
ଦଳ ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ଏକ ଐତିହାସିକ ପଦକ୍ଷେପ କହି କିଛି ରାଜନେତା ଏହାର ସମାଲୋଚନା କରିଛନ୍ତି । ସେମାନଙ୍କ ମତରେ “ସୌମ୍ୟ ବାବୁ ନିଜେ ବିଜେଡିକୁ ଚ୍ୟାଲେଞ୍ଜ ଦେଇ କହୁଛନ୍ତି ଯଦି ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରାଯାଉ । ତେବେ ତାଙ୍କୁ ଦଳରୁ ବହିଷ୍କାର କରିବା ସତ-ସହାସ କ’ଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ । ନା ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କୁ ପ୍ରକୃତରେ ଡରୁଛନ୍ତି “।
ଅପରପକ୍ଷରେ ଏହି ଭଳି ପରିସ୍ଥିତି ପୂର୍ବରୁ ମଧ୍ୟ ଘଟିସାରିଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ କିଛି ବର୍ଷ ପୂର୍ବରୁ ବିଜେଡି ସର୍ବେସର୍ବା ଥିବା ପ୍ରଶାସକ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ସମାଲୋଚନା କରି ଦଳୀୟ ଉପସଭାପତି ପଦ ହରାଇଥିଲେ । ଆଜି ଏହାର ପୁନରାବୃତ୍ତି ଘଟିଛି । ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଦଳର ସର୍ବେସର୍ବା ସାଜିଥିବା ଭି କେ ପାଣ୍ଡିଆନ ଙ୍କୁ ସମାଲୋଚନା କରି ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ଦଳୀୟ ଉପସଭାପତି ପଦ ହରାଇଛନ୍ତି ।