କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି: ବିଜେଡି

0

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ଓଡିଶା ବିଜେପି କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଇବାକୁ ଚେଷ୍ଟା କରୁଛି । କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମରେ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଶ୍ରୀ ହରିଚନ୍ଦନଙ୍କୁ ଆମର ପ୍ରଶ୍ନ ତାଙ୍କର ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ ଥିଲେ ସେ ଥରୁଟିଏ ବି କେବେ କୋଟିଆ କଥା ଉଠାଇଥିଲେ କି ?

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବାବେଳେ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ । ମାତ୍ର ସେ କେବେ ଏଥିପାଇଁ ଉଦ୍ୟମ କରିଥିଲେ କି ? ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ଶ୍ରୀ ହରିଚନ୍ଦନଙ୍କୁ ଲଜ୍ଜା ଲାଗିବା ଉଚିତ୍ । ଓଡିଶା ସରକାର କେବଳ କୋଟିଆ ପଞ୍ଚାୟତରେ ୧୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ରାସ୍ତାଘାଟ, ସ୍କୁଲରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁ କାମ କରାଯାଇଛି । ଏହାପରେ ବି ବିଜେପି ନେତାମାନଙ୍କୁ କିଛି ଦେଖାଗଲାନି । ଏଥିରୁ ଜଣାପଡୁଛି ଯେ ଓଡିଶା ବିଜେପି ନେତାମାନେ ଏବେ ଦୃଷ୍ଟିଦୋଷରେ ପୀଡିତ।

ପୃଥ୍ୱୀରାଜ ବାବୁଙ୍କ ଭଳି ବିଜେପି ନେତାମାନଙ୍କୁ ଆମର ପରାମର୍ଶ, କୋଟିଆ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ନିମ୍ନମାନର ରାଜନୀତି କରି ଏହି ବିବାଦର ସମାଧାନ ପାଇଁ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାରଙ୍କ ପାଖରେ ଦାବି କରିବା ସହିତ ଏଭଳି ନାଟକବାଜି ବନ୍ଦ କରନ୍ତୁ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

Leave a comment

You cannot copy content of this page