କନ୍ଧମାଳ ଓ ଗଜପତିରେ ପୁର୍ନଗଠିତ ହେଲା କମିଟି, ଗଜପତିର ୨ ନେତାଙ୍କୁ ରାଜ୍ୟ ସଂପାଦକ ଦାୟିତ୍ୱ ଦେଲା ବିଜେଡି
କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠନ କରାଯାଇଛି । ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ଦୁଇ ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି। ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି ଦଳୀୟ ନିର୍ଦ୍ଦେଶନାମା । ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଗଜପତି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ନିଯୁକ୍ତି ମିଳିଛି ।
ଏହାଛଡା ୧୩ ଜଣଙ୍କୁ ଉପସଭାପତି, ୧୨ ସାଧାରଣ ସଂପାଦକ ,୧୩ ସଂପାଦକ ଓ ୧୫ଯୁଗ୍ମ ସଂପାଦକଙ୍କୁ ଓ ଜଣେ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ମ୍ୟୁନସିପାଲଟି ସହ କାଶୀନଗର ଏନ୍ଏସି ଏବଂ ୭ ବ୍ଲକର ନୂଆ ସଭାପତି ନିଯୁକ୍ତି ଦିଆଯାଇଛି ।
ସେହିପରି କନ୍ଧମାଳ ଜିଲ୍ଲା ବିଜେଡି କମିଟିରେ ଜିଲ୍ଲା ସଭାପତି ଭାବେ ସରୋଜ କର୍ଣ୍ଣଙ୍କୁ ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଜିଲ୍ଲା କମିଟିରେ ୭ ଉପସଭାପତି ଓ ୧୭ ସାଧାରଣ ସଂପାଦକ, ୧୯ସଂପାଦକ ଓ ୧୫ଯୁଗ୍ମ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କ ସହ ଡିଜିଟାଲ ଓ ମିଡିଆ ପାଇଁ ସାଧାରଣ ସମ୍ପାଦକ ଓ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଜିଲ୍ଲାର ମ୍ୟୁନସିପାଲଟି, ବ୍ଲକ ଓ ଏନଏସି ପାଇଁ ମଧ୍ୟ ନୂତନ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।