ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ଶ୍ରୀମୟୀ ମିଶ୍ରଙ୍କ ୫ଟି ପ୍ରଶ୍ନବାଣ, ପ୍ରଶ୍ନର ଉତ୍ତର ରଖନ୍ତୁ ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ୫ ପ୍ରଶ୍ନ । ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର ।
-ଗତ କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ରେ ପାଣି ଜମୁଛି । ଯାହାଫଳରେ ଲୋକେ ନାନାଦି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ୪ ବର୍ଷ ଧରି ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପଦକ୍ଷେପ ନେଇଛନ୍ତି କହିବେ କି?
– ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କାମ ମନ୍ଥର ଗତିରେ ଚାଲିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବାକୁ ୨ ଘଣ୍ଟା ଲାଗୁଛି, ଭୁବନେଶ୍ୱର ସାଂସଦ କୁହନ୍ତୁ କେବେ ସୁଦ୍ଧା ଏହି ଜାତୀୟ ରାଜପଥ କାମ ସରିବ?
– ୩ ବର୍ଷ ତଳେ ମାଷ୍ଟର ପ୍ଲାନ ଶୁଣିଥିଲୁ । କ୍ୟାପିଟାଲ ରିଜଅନର ଆଉଟର ରିଂଗ ରୋଡ଼ର ମାଷ୍ଟର ପ୍ଲାନ କାଗଜ କଲମରେ ସୀମିତ ରହିଛି । ତାହା ବାସ୍ତବିକତାର ରୂପ ନେବ କି ନାହିଁ । ଭୁବନେଶ୍ୱରବାସୀଙ୍କୁ ଯେଉଁ ସ୍ୱପ୍ନ ଦେଖାଇଥିଲେ ତାହା କେବେ ସୁଦ୍ଧା ବାସ୍ତବ ରୂପ ନେବ ତାହାର ଉତ୍ତର ରଖିବେ କି ଅପରାଜିତା?
– ଖୋର୍ଦ୍ଧାର ବେଗୁନିଆ, ବୋଲଗଡ଼, ବାଲିଅନ୍ତା ଭଳି ସ୍ଥାନରେ ନେଟୱାର୍କ ଠିକ ସେ ଆସୁନି । ଭୁବନେଶ୍ୱର ସାଂସଦ ଭାବେ ରାଜଧାନୀରେ ଟେଲି ଯୋଗାଯୋଗ ସେବା ବାବଦରେ କଣ ପଦକ୍ଷେପ ନେଇଛନ୍ତି ଓ କେନ୍ଦ୍ର ପାଖରେ କଣ ଦାବି ରଖିଛନ୍ତି ତାହା ସ୍ପଷ୍ଟ କରିବେ କି?
– ବ୍ୟାଙ୍କିଙ୍ଗ ସେକ୍ଟର ବଢାଇବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ ପଦକ୍ଷେପ ନେଇଛନ୍ତି ଅପରାଜିତା ଷଡଙ୍ଗୀ । ଚନ୍ଦକା, ଦାରୁଢେଙ୍ଗ, ଅନ୍ଧାରୁଆ, ମେଣ୍ଢାଶାଳରେ ସଠିକ ଢଙ୍ଗରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇପାରୁନି । ସ୍ଥାନୀୟ ଜନ ପ୍ରତିନିଧି ଭାବେ ଏନେଇ ଦିଲ୍ଲୀରେ ଏନେଇ ସ୍ୱର ଉତ୍ତୋଳନ କରିବାର ଦେଖିବାକୁ ମିଳୁନି । ତେଣୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ କଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ରଖନ୍ତୁ ଅପରାଜିତା । କିଛି ଏଭଳି ପ୍ରଶ୍ନବାଣ ମାରିଛି ବିଜେଡି ।
ଏସବୁ ବାଦ୍ ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକେଇବା ପାଇଁ ଅପରାଜିତା ତାଙ୍କ ଅନୁଗତଙ୍କ ଦ୍ଵାରା ପିଆଇଏଲ କରିଥିଲେ ଯେଉଁଥିରେ ସୁପ୍ରିମକୋର୍ଟ ଠିକ ରାୟ ଦେଇଥିଲେ । ସେହିପରି ଏକାମ୍ର ପ୍ରକଳ୍ପରେ ବାଧା ସୃଷ୍ଟି କରିବା ପାଇଁ ବି ଚେଷ୍ଟା କରିଥିଲେ । ଏଭଳି ଭୁଲ ପାଇଁ ଆଜି ପର୍ୟ୍ୟନ୍ତ ନୈତିକତା ଦୃଷ୍ଟି କୋଣରୁ ଅପରାଜିତା କେବେ କ୍ଷମା ପ୍ରାର୍ଥନା କଲେ ନାହିଁ । ତେଣୁ ଅପରାଜିତା ସାମ୍ନାକୁ ଆସି ଏ ସବୁ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି କହିଛି ବିଜେଡି ।