କାଳିଆ ଯୋଜନା ସହାୟତା ରାଶି ବନ୍ଦ ନ କରିବାକୁ ସିଇଓଙ୍କୁ ଭେଟିଲେ ବିଜେଡି ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀମାନଙ୍କୁ କାଳିଆ ଯୋଜନାରେ ଦିଆଯାଉଥିବା ସହାୟତା ରାଶି ବନ୍ଦ ନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେଡି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ଆଉ ୨୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ସହାୟତା ରାଶି ପାଇବେ । କିନ୍ତୁ ଏହି ସହାୟତା ରାଶି ବନ୍ଦ କରିବାକୁ ବିଜେପି ନିର୍ବାଚନ କମିଶନଙ୍କ ଉପରେ ଚାପ ପ୍ରୟୋଗ କରିବା ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ଚାଷୀଙ୍କର ଜୀବିକାର୍ଜନ ପାଇଁ ସହାୟତା କରୁଛି। ଏ ପର୍ଯ୍ୟନ୍ତ ୩୭ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯାଇ ସାରିଲାଣି । ଏହି ଯୋଜନାକୁ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ କୃଷି ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି । ଏହି ଯୋଜନାରେ ଚାଷୀଙ୍କୁ ମିଳୁଥିବା ଅର୍ଥକୁ ବନ୍ଦ କରିବାକୁ ବିଜେପି ଯୋଜନା କରୁଥାଇପାରେ । ତେବେ ଚାଷୀମାନେ ଯେପରି ସହାୟତା ରାଶି ପାଇବାରୁ ବଞ୍ଚିତ ନ ହେବେ ସେ ଦିଗରେ ପଦକ୍ଷେପ ନେବାକୁ ବିଜେଡି ବିଧାୟକମାନଙ୍କ ପ୍ରତିନିଧି ଦଳ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ମହୀଧର ରଣା, ପୁଷ୍ପେନ୍ଦ୍ର ସିଂ ଦେଓ, ବଳଭଦ୍ର ମାଝି, ପୂର୍ଣ୍ଣଚନ୍ଦ୍ର ସେଠୀ, ଟୁକୁନି ସାହୁ ପ୍ରମୁଖ ସାମିଲ ଥିଲେ ।

Leave a comment