ଫେବ୍ରୁଆରୀରେ ହେବ ପଞ୍ଚାୟତ ନିର୍ବାଚନ, ବିଜେଡିର ମାନସ ମନ୍ଥନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ସୋମବାର ନବୀନ ନିବାସରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏଥିରେ ଉପସ୍ଥିତ ଥିଲେ ରାଜ୍ୟର ସମସ୍ତ ଜିଲ୍ଲାର ନୂତନ ଭାବେ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକମାନେ । ପଞ୍ଚାୟତ ନିର୍ବାଚନକୁ ନେଇ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । କେଉଁ ଅଞ୍ଚଳରେ ବିଜେଡିର ସ୍ଥିତି କିପରି ଅଛି ତାକୁ ନେଇ ଚାଲିଥିଲା ତର୍ଜମା । ପଞ୍ଚାୟତ ନିର୍ବାଚନରେ ଭଲ ରେଜଲ୍ଟ କରିବା ଦାୟିତ୍ୱ ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସହ – ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ଲୋଡ଼ାଯାଇଥିଲା ମତାମତ । ତେଣୁ ଖୁବଶୀଘ୍ର ସହ – ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ହେବ ପଞ୍ଚାୟତ ନିର୍ବାଚନ। ତେଣୁ ବିଜେଡି କରୁଥିଲା ମାନସ ମନ୍ଥନ । ପୂର୍ବରୁ ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଅଣ୍ଟା ଭିଡି ସାରିଛି । ତେଣୁ ବିଜେପିକୁ କଡା ଟକ୍କର ଦେବାକୁ ବିଜେଡି ପ୍ରତି ପଞ୍ଚାୟତରେ ନିଜକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକଙ୍କୁ ଦେଇଥିଲେ ଗୁରୁମନ୍ତ୍ର ।