କାହା ଇସାରାରେ କାମ କରୁଛି ବିଜେଡି ମିଡିଆ ସେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାହା ଇସାରାରେ କାମ କରୁଛି ବିଜେଡି ମିଡିଆ ସେଲ । ଏବେ ଦିଗହରା ହୋଇଛି ବିଜେଡି ମିଡିଆ ସେଲ । ତେଲିଆ ତେଲ ମାରୁଛନ୍ତି ତେଲମରାଙ୍କୁ ପୁଣି ପୁଳା ପୁଳା ଅର୍ଥ ଧୂଳିସାତ କରିବା ଦିଗରେ ବିଜେଡି ମିଡିଆ ସେଲ । ବିଜେଡି ନିର୍ବାଚନ ହାରିବା ପରେ ଧିରେ ଧିରେ ମୁଖ୍ୟ ଗଣମାଧ୍ୟମ ଠାରୁ ଦୂରେଇବାରେ ଲାଗିଲାଣି। ଏହି ପରିସ୍ଥିତିରେ ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ, ସାମାଜିକ ଗଣମାଧ୍ୟମରେ ସୁଲତା ଦେଓ ଓ ସଂସଦରେ ଶୁଭାଶିଷ ଖୁଣ୍ଟିଆଙ୍କ ସ୍ୱର ହିଁ ଶୁଭାଯାଉଛି। ଏହି ନେତାମାନେ ଯଦି କୌଣସି କାରଣରୁ ଚୁପ୍ ହୋଇଯିବେ, ତେବେ ବିଜେଡି ସାଧାରଣରେ ଓଡ଼ିଶାରେ ଅଛି ବୋଲି ଜଣାପଡ଼ିବ ନାହିଁ। କାର୍ଯ୍ୟ କରୁଥିବା ବିଜେଡିର ମିଡିଆ ସେଲ୍ ଏମାନଙ୍କ ସ୍ୱରକୁ ଅଗଣିତ ଓଡ଼ିଶାବାସୀ ଙ୍କ ପାଖକୁ ପହଞ୍ଚାଇବାକୁ ଜାଣିଶୁଣି ଅଣଦେଖା କରୁଛି । ବିଜେଡି ମିଡିଆ ସେଲ୍ ଏଭଳି ଆଭିମୁଖ୍ୟ କାହିଁକି ବୋଲି ରାଜନୈତିକ ସମୀକ୍ଷକ ପ୍ରଶ୍ନ କଲେଣି ।
ହେଲେ ଏବେ ବି ବିଜେଡ଼ି ମିଡିଆ ସେଲ୍ ର ସେଇ ତେଲମରା ନୀତି ପୂର୍ବ ଭଳି କେବଳ ସସ୍ମିତ ପାତ୍ର, ଲେନିନ୍ ମହାନ୍ତିଙ୍କ ବାଇଟ ଦେଖାଇବାରେ ବ୍ୟସ୍ତ ରହିଛି । ଆଉ ଏକ ବଡ଼ କଥା ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବିଜେଡି ହାତରେ ଥିବା ଗୋଟେ ଖବରକାଗଜ ଓ ଗୋଟେ ଟିଭି ଚ୍ୟାନେଲ୍ ତ ମାନସ ମଙ୍ଗରାଜଙ୍କର ବାଇଟ କେବଳ ଦେଖାଉଛି। ତେଣୁ ବିଜେଡିର ପ୍ରଚାର ପ୍ରସାର ହେବ କେମିତି। ସେହିପରି ବିଜେଡି ମିଡିଆ ସେଲ୍ ଓ ଗଣମାଧ୍ୟମ ଗୁଡ଼ିକ ଏବେ ବିଜେଡ଼ିର କାହା ନିୟନ୍ତ୍ରଣରେ , ସେନେଇ ପ୍ରଶ୍ନ ଉଠୁଛି। ବିଜେଡିର ସାଧାରଣ କର୍ମୀ ଓ ଜନତା ରାଜା ସ୍ୱାଇଁ, ଅରୁଣ ସାହୁ, ସୁଲତା ଦେଓଙ୍କୁ ଶୁଣିବା ପାଇଁ ଆଗ୍ରହ ଦେଖାଉଛନ୍ତି। ହେଲେ ସାଧାରଣ ଜନତା ଓ ସେମାନଙ୍କ ମଧ୍ୟରେ ବିଜେଡି ମିଡିଆ ସେଲ୍ ବଡ଼ ପାଚେରୀ ହୋଇ କାହିଁକି ଛିଡା ହେଉଛି, ତାହା ଏବେ ବି ଅବୁଝା। ରାଜନୀତିକ ସମୀକ୍ଷକ ଙ୍କ କହିବା କଥା ବିଜେଡ଼ିର ଏବେକାର ମଙ୍ଗ ଧରିଥିବା କିଛି ନେତା ଏମାନେ ବିଧାନସଭା ରେ ବିରୋଧୀ ରୂପରେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ସହିପାରୁନାହାନ୍ତି ।