୪୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ପାଳିତ ହେବ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶ କୁ ପାଥେୟ କରି ବିଜେଡ଼ି ଇତି ମଧ୍ୟରେ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି । କୌଣସି ରାଜନୈତିକ ଦଳ ପାଇଁ ଏହା ଏକ ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଦଳ ଆଗାମୀ ୨୬ତାରିଖ ଦଳର ୨୫ ତମ ପ୍ରତିଷ୍ଠା ଦିବସ ପୂର୍ବରୁ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଏବଂ କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ବିଜେଡ଼ି ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ଆକୁଣ୍ଠ ସମର୍ଥନ ବିଜୁ ଜନତା ଦଳ କୁ ମିଳିଛି । ବିଜୁ ବାବୁଙ୍କ ନୀତି ଆଦର୍ଶ ଗଠିତ ଏହି ଆଞ୍ଚଳିକ ଦଳ ଓଡ଼ିଶା ବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛି । ଗାଁ ଠୁ ସହର ସବୁଠି ଜଣ ସେବାରେ ନିୟୋଜିତ ଥିବା ଅଗଣିତ କର୍ମୀଙ୍କ ନିଷ୍ଠା, କଠିନ ଅଧ୍ୟବ୍ୟସାୟ ଏବଂ ତ୍ୟାଗକୁ ପାଥେୟ କରି ବିଜୁ ଜନତା ଦଳ ଆଜି ଲୋକଙ୍କ ଦଳ ହୋଇଛି । ଏବଂ ଆଗକୁ ସୁଦୂର ପ୍ରସାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦଳୀୟ ନେତା ଓ କର୍ମୀ ଙ୍କ ଉଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ଆସନ୍ତା ୨୬ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଦିନଠାରୁ ବର୍ଷ ତମାମ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଲୋକସେବା ମଧ୍ୟରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବାପାଇଁ ଆହୁରି ଉଦ୍ୟମ ଜାରି ରହିବ । ସେ ଆହୁରି ମଧ୍ୟ କହିଛନ୍ତି କୋଭିଡ ମହାମାରୀ ସମୟରେ ଆପଣ ମାନେ ଯେଉଁଭଳି ଧର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗକୃତ ମନୋଭାବ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଆପଣମାନଙ୍କ ସହଯୋଗରେ ଯେଉଁ ପରି ଭାବେ କୋଭିଡ ମହାମରୀକୁ ନିୟନ୍ତ୍ରଣ କରାଗଲା ତାହା ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶା କୁ ସୁନାମ ଆଣିଦେଲା ।

ଅପରପକ୍ଷରେ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୬ତାରିଖରେ ଦଳ ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ, ବ୍ଲକ ଏବଂ ସହରାଞ୍ଚଳରେ ପାଳନ କରାଯିବ । ଭୁବନେଶ୍ୱର ରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ ହେବ । ଭୁବନେଶ୍ୱର ରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏକ ସାଙ୍ଗରେ ୪ଶହ ରୁ ଅଧିକ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ କରିବ ଦଳ । ଅପରାହ୍ନ ୪.୩୦ ମିନିଟ ରେ ଭରଚୁଆଲ ମାଧ୍ୟମରେ ଦଳୀୟ ନେତା ଓ କର୍ମୀ ଙ୍କୁ ସମ୍ବୋଧନ କରିବେ।

Leave a comment