ବିଜେଡିର ପ୍ରତିଷ୍ଠା ଦିବସ: ମୋଦିଙ୍କ ଆକ୍ଷେପକୁ ନବୀନଙ୍କ କଡ଼ା ଜବାବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା କି କେନ୍ଦ୍ରୀୟ ଅନୁଦାନ ଦରକାର ନାହିଁ । ଅର୍ଥନୈତିକ ସ୍ବାଧୀନତା ଦ୍ୱାରା ଆମେ ଓଡ଼ିଶାକୁ ସମୃଦ୍ଧ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ କହି କେନ୍ଦ୍ର ସରକାରଙ୍କ ଉପରେ ସିଧା ନିଶାନା ସାଧିଛନ୍ତି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିକୁ ନେଇ କରିଥିବା ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ନବୀନ ।
ଏଥିସହ ପାଲଟା ୯ଟି ପ୍ରଶ୍ନ ପଚାରିଛନ୍ତି, ଯାହା ସାଧାରଣ କର୍ମୀଙ୍କୁ ଉତ୍ସାହିତ କରିବା ସହ ବିଜେଡିର କଡ଼ା ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ଏହା ନିଶ୍ଚିତ ଭାବେ ଆଗାମୀ ର୍ନିବାଚନରେ କର୍ମୀମାନଙ୍କୁ ଉତ୍ସାହିତ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ନବୀନ କେନ୍ଦ୍ରକୁ ପଚରି ଥିବା ୯ଟି ପ୍ରଶ୍ନ :
୧. ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କୋଷ୍ଟାଲ ହାଇୱେ କେବେ ହେବ ?
୨. ଟେଲିକମ : ଗଛ ଉପରେ ଚଢ଼ିଲେ ଆସୁଛି ନେଟୱାର୍କ, କେବେ ଗାଁରେ ପହଁଚିବ ଟେଲିକମ ନେଟୱାର୍କ ।
୩. ରେଲୱେ : ରେଳବାଇରେ ଉନ୍ନତି କେବଳ ପ୍ଲାଟଫର୍ମ ଟିକେଟରେ ଆସିଛି । ଟିକେଟ ଦର ବୃଦ୍ଧି ପାଇଛି । ଖୋର୍ଦ୍ଧା ବଲାଙ୍ଗୀର ରେଳବାଇ ଇତିହାସରେ ରହିଲା ଭଳି ଲାଗୁଛି ।
୪. ବ୍ୟାଙ୍କ ସୁବିଧା ନାହିଁ
୫. କୋଇଲା ନିଲାମ : କୋଇଲା ବ୍ଲକ ନିଲାମ ହେଲେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି କହିଥିଲେ । ହେଲେ ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା ମିଳିଛି ।
୬. ଚାଷୀ : ଚାଷୀଙ୍କୁ ଠିକ ସମୟରେ କ୍ଷତିପୂରଣ ମିଳିଲାନି । ଉଚିତ ମୂଲ୍ୟ ମିଳିଲାନି । ବେସରକାରୀ ବୀମା କମ୍ପାନୀ ଲାଭବାନ ହେଲେ ।
୭. ଇସ୍ତାହାର : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଏମଏସପି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲାନାହିଁ । ସାଢେ଼ ୪ ବର୍ଷ ବିତିଗଲାଣି ।
୮.ଏସସି ଏସଟି ବିକାଶ : ଆଦିବାସୀ ଅଞ୍ଚଳରେ ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ । ଗରିବ ଏସସି ଏସଟି ଛାତ୍ରଛାତ୍ରୀଙ୍କ ବୃତି ଅର୍ଥ ମଧ୍ୟ ଦେଲେନାହିଁ ।
୯. ଉଜ୍ଜ୍ୱଳା : ବହୁତ ପ୍ରଚାର ହେଉଛି । ସବୁଆଡେ଼ ବଡ଼ବଡ଼ ହୋଡିଂ । ୩୦ ଲକ୍ଷ ମହିଳାଙ୍କୁ ଗ୍ୟାସ କନେକ୍ସନ ଦିଆଗଲା ବୋଲି କୁହାଗଲା, ହେଲେ ରିଫିଲ କଲେ କେତେ ଜଣ ? ଗ୍ୟାସ ଦର କେତେ ଆପଣମାନେ ଜାଣନ୍ତି ।