ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି କାହାର ଜାଗିରି ନୁହେଁ ବୋଲି କହିଛନ୍ତି ନବୀନ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ନମ୍ରତାର ସହ ଏକ ମନ୍ତ୍ର ମୁଁ ଆପଣଙ୍କ ପାଖରେ ରଖୁଛି ବୋଲି କହିଥିଲେ । ଓଡ଼ିଶାର ସାଢେ଼ ୪ କୋଟି ଭାଇଭଉଣୀ ହେଉଛନ୍ତି ଆମର ପରିବାର । ଭୋଟ ଦେଇ ସେମାନେ ଆମକୁ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ ବରଂ ଆମ ପରିବାର ସେବା ପାଇଁ ଏହା ଏକ ମହାନ ସୁଯୋଗ ।

ସାଢେ଼ ୪ କୋଟି ଭାଇଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିଆସୁଛୁ । ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ । ସେବାଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି । ଦଳର ପ୍ରତିଷ୍ଠା ଅବସରରେ ଆମର କୋଟି କୋଟି କର୍ମୀ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଲଜାନ ପରି ଦଳକୁ ଶକ୍ତି ଯୋଗାଇଛି । ଆପଣଙ୍କ ତ୍ୟାଗ ଦଳକୁ ମଜବୁତ କରିଛି ।

ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଏବଂ ଅରୂପ ପଟ୍ଟନାୟକ ପ୍ରମୁଖ ଭାଷଣ ଦେଇଥିଲେ । ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା (ବାଇଁଆ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

You cannot copy content of this page