ବିଜେଡ଼ି ର ଖାଇବା ଦାନ୍ତ ଗୋଟେ, ଦେଖେଇବା ଦାନ୍ତ ଗୋଟେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିତରେ ସଲାସୁତୁରା, ମିଛରେ ହାଉହାଉ । ଦରଦ ନଥିବା ଦରଦୀ ବନ୍ଧୁ । ଏଭଳି କିଛି ଶବ୍ଦ ବିଜେଡ଼ି ସରକାର ପାଇଁ ବୁଦ୍ଧିଜୀବୀ ବ୍ୟକ୍ତ କରିଛନ୍ତି । ସେହିପରି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ରାଜ୍ୟ ସରକାର ବୋଲି ସାଧାରଣ ଜନତା ମତ ରଖିଛନ୍ତି । ବିଗତ କିଛି ବର୍ଷ ହେବ ଋଣ ବୋଝ ସହି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ସେଥିପ୍ରତି କେବେ ସରକାର ଆନ୍ତରିକତା ଦେଖାଇ ନାହାନ୍ତି । ବିରୋଧୀ ବାରମ୍ବାର ଚାଷୀ ପ୍ରସଙ୍ଗ ଉଠାଇଲେ ମଧ୍ୟ କିଛି ଫଳପ୍ରଦ ହେଉନଥିବା ସବୁଠି ଚର୍ଚ୍ଚା ହେଉଛି । ଏବେ ହଠାତ ବିଜେଡ଼ି ର ଚାଷୀ ପ୍ରେମ ସହଜରେ ହଜମ କରିପାରୁନାହାନ୍ତି ରାଜନୈତିକ ବିଶେଷଜ୍ଞ ।

ସେହିପରି ୨୦୧୮ରେ ବିଜେଡ଼ି ପକ୍ଷରୁ ନିଯୁକ୍ତ ହୋଇଥିବା ବିଜୁ କୃଷକ ମୋର୍ଚ୍ଚା ପ୍ରମୁଖ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନଥିବା ଏବଂ ବିଭିନ୍ନ ରାଜ୍ୟରେ କୃଷି ଆଇନ କୁ ନେଇ ନିଜ ନିଜ ମତ ରଖିଥିବା ବେଳେ ବିଜେଡ଼ି ଆଜି ପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ଚର୍ଚ୍ଚା ହେଉଛି । ଏହା ରାଜ୍ୟ ସରକାରଙ୍କ କି ପ୍ରକାର ଦରଦ ବୋଲି ସାଧାରଣରେ ସମାଲୋଚନା ମଧ୍ୟ ହେଉଛି ।

ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ଦଳ ମରୁଡି ପ୍ରସଙ୍ଗ ଉଠାଇବ ନେଇ ଖବର ପ୍ରକାଶ ହେବାପରେ କାଲି ହଠାତ ବିଜେଡ଼ି ର ଏକ ଦଳ ରାଜ୍ୟରେ ସାର ଯୋଗାଇଦେବା ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ କୃଷକ ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆନ୍ଦୋଳନରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ରାଜେନ୍ଦ୍ର ସାହୁ ଓ ବିଧାୟକ ଗଣେଶ ଜଗଦେବ, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିରୋଧରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ମାତ୍ର ଏହାକୁ ନେଇ ରାଜନୈତିକ ବୁଦ୍ଧିଜୀବୀ କହୁଛନ୍ତି, ଯଦି ପ୍ରକୃତରେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଦରଦ ରହିଛି ତେବେ ମରୁଡି ପ୍ରପୀଡ଼ିତ ଚାଷୀଙ୍କ ଋଣ ବୋଝ କମାଇବାକୁ ସାର ବାହାନା କରିବା ବଦଳରେ ପଞ୍ଜାବ, ଆନ୍ଧ୍ର ଏବଂ ତାମିଲନାଡୁ ସରକାରଙ୍କ ଭଳି ଚାଷୀଙ୍କ ବିଜୁଳି ଦର ଛାଡ଼ କରିଛନ୍ତି, ସେହିପରି ପଦକ୍ଷେପ ରାଜ୍ୟ ସରକାର ନେଉନାହାନ୍ତି କାହିଁକି । କେନ୍ଦ୍ର ଉପରେ ଦୋଷ ଲଦି ନିଜେ ଚୁପ ହୋଇ ନିରବ ଦ୍ରଷ୍ଟା ସାଜିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି, ଯଦି ବଡ଼ ବଡ଼ ଉଦ୍ୟୋଗୀଙ୍କ କୋଟି କୋଟି ଟଙ୍କା ବିଦ୍ୟୁତ ଋଣ ଛାଡ଼ କରା ଯାଉଥିବା ବେଳେ ଜଣେ ସାଧାରଣ କୃଷକ ନିଜ ବିଲକୁ ପାଣି ପାଇଁ ବ୍ୟବହାର ହେଉଥିବା ବିଦ୍ୟୁତ ବିଲ ଛାଡ଼ କରିବାକୁ ରାଜ୍ୟ ସରକାର ଚିନ୍ତା ନକରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି।

Leave a comment