ବିଜେଡି, କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ନୟାଗଡ଼ରୁ ବିଜେଡି ପ୍ରଚାର ଆରମ୍ଭ କରିଥିବା ବେଳେ ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ନବୀନ କହିଥିଲେ ଯେ, ଓଡ଼ିଶାର ୨୧ଟି ଆସନରୁ ବିଜେଡି ୨୧ଟି ଜିତିବ । କେନ୍ଦ୍ରରେ ଗୋଟିଏ ଝୁଲା ସଂସଦ ହେବ, ଯେଉଁଥିରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ନବୀନ କହିଥିଲେ । ଏହାକୁ ଟାର୍ଗେଟ କରି ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ଲେଖାଶ୍ରୀ କହିଛନ୍ତି, ଗତ କିଛିଦିନ ତଳେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ପୁଲ୍ଓ୍ବାମା ଆକ୍ରମଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଓଡ଼ିଶା ସରକାର ଓ ନବୀନ ବାବୁଙ୍କ ଆଇଟି ପରାମର୍ଶଦାତା ରହିଥିଲେ । ସେତେବେଳେ ସେ ମାତ୍ର ୧ଟଙ୍କା ଦରମା ନେଉଛନ୍ତି ଏବଂ ରାଜ୍ୟର ସେବା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲେ। କିନ୍ତୁ ସେ କଂଗ୍ରେସ-ବିଜେଡି ମଧ୍ୟରେ ଥିବା ଭିତିରି ସମ୍ପର୍କରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । କଂଗ୍ରେସ ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନେ ସବୁବେଳେ ବଂଶବାଦକୁ ପ୍ରଶ୍ରୟ ଦେଇଛନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ହେଲେ ଅନ୍ୟ ଦେଶଗୁଡ଼ିକ ସହ ଦଲାଲୀ ଓ ଦୁଇନମ୍ବରୀ ଅସ୍ତ୍ର କାରବାର ହୋଇପାରିବ । ଏଥିସହ ରାଜ୍ୟରେ ଶାସନ କରିବାକୁ ନବୀନ ବାବୁ ଗଳାବାଟ ପାଇବେ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।