ବିଜେଡ଼ି ପର୍ଯ୍ୟବେକ୍ଷକ ମାଗୁଛନ୍ତି ଦିନିକିଆ ମଜୁରୀ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ବାକି ରହିଛି । ବିଜେଡ଼ି ଭୁବନେଶ୍ୱର ସମସ୍ତ ୱାର୍ଡରେ ବିଜୟ ଧ୍ୱନି ଗୁଞ୍ଜରଣ କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛି । କିନ୍ତୁ ବିଜେଡ଼ି ଦ୍ୱାରା ନିଯୁକ୍ତ କିଛି ପଇସା ଲୋଭି ଯୁବ ନେତା ତଥା କୋ – ଅବଜର୍ଭର ଦଳକୁ ବଦନାମ କରୁଥିବା ଅନେକ ୱାର୍ଡରେ ଚର୍ଚ୍ଚା ହେଉଛି । କାହିଁକି ନା କିଛି କର୍ପୋରେଟର ନିଜ ନାଁ ଗୋପନ ରଖି କହିଛନ୍ତି, ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିବାକୁ ଦଳ ପକ୍ଷରୁ ଯେଉଁ କୋ – ଅବଜର୍ଭର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ସେମାନେ ଦିନିକିଆ ମଜୁରୀ ଭଳି କର୍ପୋରେଟର ପ୍ରାର୍ଥୀଙ୍କ ଠାରୁ ପ୍ରତିଦିନ ୧୦୦୦ ଟଙ୍କା ମାଗୁଛନ୍ତି । ଯାହାକି ପୂର୍ବରୁ କେବେ ଶୁଣିବାକୁ ମିଳିନଥିଲା । ଫଳରେ ଏହା ବିଜେଡ଼ି ଦଳର ଭାବମୂର୍ତି କ୍ଷୁର୍ଣ୍ଣ କରୁଥିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ବିଜେଡ଼ି ନିଜ ଦଳୀୟ ସଂଗଠନ ବୃଦ୍ଧି କରିବାକୁ ଅନ୍ୟ ଦଳର ଅନେକ ନେତା ଆମଦାନୀ କରୁଛି । ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ବିଭିନ୍ନ ପଦ ପଦବୀ ମଧ୍ୟ ପ୍ରଦାନ କରାଯାଉଛି । ମାତ୍ର କିଛି ମୁଷ୍ଟିମେୟ ନେତାମାନେ ଏହି ପଦର ଫାଇଦା ଉଠାଇବାକୁ ଭୁଲୁ ନାହାନ୍ତି । ଜେଣ ତେଣ ପ୍ରକାରେଣ ଅର୍ଥ ଶୋଷଣ କରିବାକୁ ଆଗଭର ରହୁଛନ୍ତି । ଚଳିତ ପୌର ନିର୍ବାଚନରେ କିଛି ଏଭଳି ତଥ୍ୟ ଆଗକୁ ଆସିଛି । ଯାହାକି ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବିଜେଡ଼ି ଦ୍ୱାରା କିଛି ଯୁବ କୋ – ଅବଜର୍ଭର ନିଯୁକ୍ତ ହୋଇଛନ୍ତି । ସେମାନେ ପ୍ରାର୍ଥୀଙ୍କୁ ନିର୍ବାଚନ ବୈତରଣୀ ପାର କରିବାରେ ସାହାଯ୍ୟ କରିବେ । ସେମାନଙ୍କ ମଧ୍ୟରୁ କିଛି କୋ – ଅବଜର୍ଭର ପ୍ରାର୍ଥୀଙ୍କୁ ପଇସା ମାଗିବାକୁ ଦଳୀୟ କର୍ମୀ ନାପସନ୍ଦ କରିବା ସହ ଏହା ଦଳ ଏବଂ ନବୀନ ବାବୁଙ୍କ ସ୍ୱସ୍ଛ ଭାବମୂର୍ତି ଉପରେ ଆଞ୍ଚ ଆଣିବ ବୋଲି କୁହାକୁହି ହେଉଛନ୍ତି ।