ବିଜେଡିରେ ନିଯୁକ୍ତ ହେବେ ସହ – ପର୍ଯ୍ୟବେକ୍ଷକ, ଫୋକସରେ ପ୍ରଶାସକ

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଫେବ୍ରୁଆରୀରେ ହେବ ପଞ୍ଚାୟତ ନିର୍ବାଚନ । ନିର୍ବାଚନି ସଜବାଜ ଆରମ୍ଭ କଲାଣି ବିଜେଡି । ଗତ ସୋମବାର ନବୀନ ନିବାସରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏଥିରେ ଉପସ୍ଥିତ ଥିଲେ ରାଜ୍ୟର ସମସ୍ତ ଜିଲ୍ଲାର ସଦ୍ୟ ଘୋଷିତ ପର୍ଯ୍ୟବେକ୍ଷକ । ପଞ୍ଚାୟତ ନିର୍ବାଚନକୁ ନେଇ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । କେଉଁ ଅଞ୍ଚଳରେ ବିଜେଡିର ସ୍ଥିତି କିପରି ଅଛି ତାକୁ ନେଇ ଚାଲିଥିଲା ତର୍ଜମା । ପଞ୍ଚାୟତ ନିର୍ବାଚନରେ ଭଲ ରେଜଲ୍ଟ କରିବା ଦାୟିତ୍ୱ ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ଲୋଡ଼ାଯାଇଥିଲା ମତାମତ । ତେଣୁ ଖୁବଶୀଘ୍ର ୫୦ରୁ ୬୦ ଜଣ ସହ – ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଯୁବ ଓ ଛାତ୍ରର କିଛି ଅସନ୍ତୁଷ୍ଟ ନେତାଙ୍କୁ ଏହି ସହ – ପର୍ଯ୍ୟବେକ୍ଷକ ଭାବେ ଥଇଥାନ କରାଯିବା ନେଇ ଶୁଣିବାକୁ ମିଳୁଛି । ଅପରପକ୍ଷରେ

ନିର୍ବାଚନକୁ ଫୋକସରେ ରଖି ଗତକାଲି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ପ୍ରାୟ ୪ହଜାର ପଡ଼ା ପାଇବ ରାଜସ୍ୱ ଗାଁର ମାନ୍ୟତା । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ । ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର ।

ସେହିପରି ଆଜି ମଧ୍ୟ ଆଉ ଏକ ଷ୍ଟାଟେଜି ଅପଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆଇଏଏସ ଅଫିସର ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଡି. କେ. ସିଂ ଅନେକ ବର୍ଷ ହେଲା ପଞ୍ଚାୟତିରାଜ ଦାୟିତ୍ୱରେ ଥିଲେ ମଧ୍ୟ ପଞ୍ଚାୟତ ଉନ୍ନତି ପାଇଁ ସେଭଳି କିଛି ଆଖିଦୃଷ୍ଟିଆ କାର୍ଯ୍ୟ କରିନଥିବାରୁ ତାଙ୍କ ବଦଳରେ ଅଶୋକ ମିନାଙ୍କୁ ଏହିଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଆଇଏଏସ ଅଫିସର ଅଶୋକ ମିନା ଜଣେ ଅଭିଜ୍ଞ, ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ପ୍ରଶାସକ ଭାବରେ ଖୁବ ଜଣାଶୁଣା ।

ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ହେବ ପଞ୍ଚାୟତ ନିର୍ବାଚନ। ତେଣୁ ବିଜେଡି କରିଛି ମାନସ ମନ୍ଥନ । ପୂର୍ବରୁ ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଅଣ୍ଟା ଭିଡି ସାରିଛି । ତେଣୁ ବିଜେପିକୁ କଡା ଟକ୍କର ଦେବାକୁ ବିଜେଡି ପ୍ରତି ପଞ୍ଚାୟତରେ ନିଜକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକଙ୍କୁ ଦେଇଥିଲେ ଗୁରୁମନ୍ତ୍ର ।

Leave a comment