ଆବାସ ଆବଣ୍ଟନ ନେଇ ମୁଁହାମୁହିଁ ହେଲେ ବିଜେଡି- ବିଜେପି
ରାଜ୍ୟକୁ ଆସିଥିବା ସାଢେ ୯ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, କେନ୍ଦ୍ର ଯେଉଁ ଗାଇଡଲାଇନ କରିଛନ୍ତି ସେଥିରେ ଅନେକ ଯୋଗ୍ୟ ଲୋକ ବାଦ୍ ପଡି ଯାଉଛନ୍ତି । କେନ୍ଦ୍ର ସରକାର ଏପରି ନିୟମ କରିଦେଇଛନ୍ତି ଯେ, ଏଥିପାଇଁ ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଧୀବର ଶ୍ରେଣୀର ଲୋକଟିର ମାଛ ଧରା ଡ଼ଙ୍ଗାଥିଲେ ବି ସେ ବାଦ୍ ପଡୁଛି । କେନ୍ଦ୍ର ସରକାର ଏ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟ ସରକାର ୧୫ ଲକ୍ଷ ହିତାଧିକାରୀଙ୍କୁ ଆବାସ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସାଢେ ୯ ଲକ୍ଷ ଘର ମଞ୍ଜୁର କରିଛନ୍ତି । ଆହୁରି ଅଧିକ ଲୋକ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି । ତଥାପି ରାଜ୍ୟ ସରକାର ତପ୍ତର ଅଛନ୍ତି । ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଖଣ୍ଡେ ଦେବା ପାଇଁ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।
ଅନ୍ୟପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା କଥା, ସରକାର ଦୁଇ ଦୁଇ ଥର ଲୋକଙ୍କଠାରୁ ଅଭିଯୋଗ ମାଗିଲେ । ଗୋଟିଏ ଥର ୨୦୨୦ ମସିହା ଫେବୃଆରୀ ମାସରେ ଏବଂ ଆଉ ଥରେ ୩ ମାସ ତଳେ ଜାନୁଆରୀ ମାସରେ ଅଭିଯୋଗ ମାଗିଥିଲେ ସରକାର । ଅଭିଯୋଗଗୁଡ଼ିକ ଯେତେବେଳେ ଆସିଲା, ସରକାରଙ୍କର ଦାୟିତ୍ୱ ଥିଲା ଅଭିଯୋଗଗୁଡିକୁ ତଦାରଖ କରିବା ସହ ସ୍କୃଟିନି କରି ଅଯୋଗ୍ୟ ହିତାଧିକାରୀ ମାନଙ୍କ ନାଁ ତାଲିକାରୁ କାଟିବା ପାଇଁ ପଦକ୍ଷେପ ନେବେ । କିନ୍ତୁ ସରକାରଙ୍କ ତୃତୀୟ ମହଲାଠାରୁ ଆରମ୍ଭ କରି ତଳ ପର୍ୟ୍ୟନ୍ତ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଲା ଯେ, ଯଦି ଅଭିଯୋଗରେ ନାଁ ଗୁଡ଼ିକ କଟିଯାଉଛି ତେବେ ସେଥିରେ ତାଙ୍କର ରାଜନୈତିକ କ୍ଷତି ହେବ । ଅଯୋଗ୍ୟଙ୍କ ନାଁ ଯୋଡିବା ପାଇଁ ଯେଉଁ ଚାନ୍ଦା ଆଦାୟ କରିଛନ୍ତି, ତାହା ଫେରାଇବା କଷ୍ଟ ହେବ । ଏହାସହ ଅଭିଯୋଗରେ ନାଁ ଗୁଡ଼ିକ କଟିଗଲେ କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟ ଭରଣା କରିପାରିବେ ନାହିଁ । ଏକଥା ନେଇ ତୃତୀୟ ମହଲା, ସଚିବଙ୍କଠୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ମାନସିକତା ରହିଲା । ତେଣୁ ଜାଣିଶୁଣି ତାଲିକାକୁ ଯାହା ଥିଲା ସେୟା ରଖିବା ଏବଂ କୌଣସି ନାଁ କାଟିବା ନାହିଁ ଭଳି ମାନସିକତାରେ ସେମାନେ କାମ ଆରମ୍ଭ କଲେ ବୋଲି କହି ରାଜ୍ୟ ସରକାରଙ୍କୁ ତେରେଛା ତୀର ମାରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ଏଥିସହ ଏହା ଫଳରେ ଓଡିଶାର ବାସ୍ତବ ତଥା ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାବାଦ୍ ଫନି କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ଦେବା ପାଇଁ ଯୋଜନା ହୋଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ନାଁକୁ ଏବେ ଯାଏଁ ତାଲିକାରେ ସାମିଲ କରିନାହାନ୍ତି । ତେଣୁ ତହସିଲ ପାଖରେ ଥିବା ଫନିରେ ଘର ଭଙ୍ଗିଥିବା ଲୋକଙ୍କ ତାଲିକା ଏବଂ ପଞ୍ଚାୟତରାଜ ବିଭାଗ ପାଖରେ ଥିବା ତାଲିକା ମେଳ ଖାଉନାହିଁ । ଏହି ସବୁ କାରଣ ଯୋଗୁଁ ରାଜ୍ୟରେ ସଂଖ୍ୟାଧିକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ବିଜେପି ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା, ଏବେ ପୁଣି ଚେତାବନୀ ଦେଉଛି, ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ନପଡନ୍ତୁ । ଜଣେ ହେଲେ ଅଯୋଗ୍ୟ ଘର ନପାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ ଅବସ୍ଥା ଭୟାବହ ହେବ ବୋଲି ଚେତାବନୀ ଦେଇଛି ବିଜେପି ।
ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା ମୁତାବକ, ଦୀର୍ଘ ତିନି ବର୍ଷ ଧରି ପକ୍କା ଘରଟିଏ ପାଇଁ ଲୋକେ ହାଉ ଯାଉ ହେଲେଣି । ଉପା ସରକାର ଅମଳରେ ଯେତେ ମାଗୁଥିଲେ ସେତେ ମିଳୁଥିଲା । ହେଲେ ଏବେ ବିଜେଡି ଓ ବିଜେପି ଲଢେଇ ପାଇଁ ଲୋକେ ହଇରାଣ ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ।