ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଘେରିଲ ବିଜେଡି, ପେଟ୍ରୋଲ ପମ୍ପ ସମ୍ମୁଖରେ କରାଉଛି ସଚେତନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଭାବେ ବଢି ଚାଲିଥିବା ତୈଳ ଦର ଉପରେ ଲଗାମ ଲଗାଇବାକୁ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଜେଡ଼ି ଏକ ଶାନ୍ତି ପୂର୍ଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୩ଦିନ ପୂର୍ବାହ୍ନ ୧୦ ଟାରୁ ୧୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।
ଆଜି ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳିଛି । ଦିନ ୧୦ଟାରୁ ୧୨ଟା ଯାଏ ଦଳ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଆଗରେ ବିଜୁ ଯୁବ-ଛାତ୍ର ଓ ମହିଳା କର୍ମୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚଳାଇଥିଲେ । ଲିଫଲେଟ୍ ବାଣ୍ଟି ବିଜେଡ଼ି କର୍ମୀମାନେ ଲୋକମାନଙ୍କୁ ସଚେତନ କରୁଥିଲେ ।
ଆଜି ମଧ୍ୟ ତୈଳ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୪୭ ପଇସା ବଢିଥିବା ବେଳେ ଡିଜେଲ ଦର ୫୬ ପଇସା ବୃଦ୍ଧି ହୋଇଛି । ଆଜି ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୭ ଟଙ୍କା ୩୩ ପଇସାରେ ପହଁଚିଛି ।
ପରପକ୍ଷରେ ତୈଳଦର ବୃଦ୍ଧି ନେଇ ବିଜେଡିର ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଏହା ବିଜେଡିର ମାନସିକ ଦେବାଳିଆର ଲକ୍ଷଣ । ଭଗବାନ ଏମାନଙ୍କୁ ଛୋଟ ବୃଦ୍ଧିରୁ ନିବୃତ ରଖନ୍ତୁ” ।