ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନ ବାଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ଅଭିଯୋଗ ଆଣିଥିଲେ । ଏହା ବିପକ୍ଷରେ ରାଜ୍ୟ ମୁଖ୍ୟାଳୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ୨୦ଟି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ।
ଉଜ୍ୱଳା ଯୋଜନା ଓଡ଼ିଶାରେ ସମ୍ପୁର୍ଣ୍ଣରୂପେ ଫେଲ ହୋଇଛି । ୮୦ ପ୍ରତିଶତ ହିତାଧିକାରୀ ଦ୍ୱିତୀୟ ରିଫିଲ୍ କରିପାରିନାହାନ୍ତି । ଏପର୍ଯ୍ୟନ୍ତ କାହିଁକି ୱେବସାଇଟରେ ହିତାଧିକାରୀଙ୍କ ତାଲିକା କେନ୍ଦ୍ରମନ୍ତ୍ରୀ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ତୈଳ ଦର ବୃଦ୍ଧି, ରେଳବାଇ କ୍ଷେତ୍ରରେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିବା, ଜାତୀୟ ରାଜପଥର ବିପର୍ଯ୍ୟସ୍ତ ସ୍ଥିତି, ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ କେନ୍ଦ୍ରୀୟ ଉଦ୍ୟୋଗ ସହଯୋଗ ନକରିବା, କୋଇଲା ରୟାଲଟି ସଂଶୋଧନରେ ବିଳମ୍ବ, ଆଇଓସିଏଲରେ ଓଡ଼ିଶା ଯୁବକଯୁବତୀଙ୍କୁ ନିଯୁକ୍ତି ନଦେବା, ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନଦେବା, ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମର୍ଥନ କରିବା, ବ୍ରାହ୍ମଣୀରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣରେ ବିଳମ୍ବ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, କେନ୍ଦ୍ରୀୟ ଯୋଜନାରେ ଅଂଶଧନ ହ୍ରାସ, ୫ବର୍ଷରେ ୧୦କୋଟି ଚାକିରି ଦେବାକୁ କହି ଯୁବକଯୁବତୀଙ୍କୁ ବୋକା ବନାଇବା, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା, ରାଜ୍ୟର ଅଧିକାଂଶ ଗାଁରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା, ଟେଲି ନେଟୱାର୍କ ଓଡ଼ିଶାର ସବୁ ଭାଗରେ ଉପଲବ୍ଧ ନହେବା, ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି ।
ବିଜେଡି ପକ୍ଷରୁ ଡକାଯାଇଥିବା ଏହି ସାମ୍ବାଦିକ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।