‘କର୍ମୀଙ୍କ ପ୍ରସ୍ତାବରେ ଚାଲିବ ଦଳ ଓ ସରକାର’

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁ ଜନତାଦଳର ରାଜ୍ୟ ପରିଷଦ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିମାନେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉଭୟ ଦଳ ଏବଂ ସରକାର ଅଧିକ କ୍ରିୟାଶୀଳ ହେବା ପାଇଁ ତୃଣମୂଳସ୍ତରର ନେତା ଏବଂ କର୍ମୀଙ୍କଠାରୁ ପ୍ରସ୍ତାବ ଲୋଡ଼ିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମ ବାବଦରେ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ସୂଚନା ପ୍ରଦାନ କରିଛନ୍ତି ଦଳୀୟ ନେତା ତଥା ସାଂସଦ ରମେଶ ମାଝୀ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀମୟୀ ମିଶ୍ର ଏବଂ ମାନସ ମଙ୍ଗରାଜ। ସେମାନେ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ବିଜେଡିର ପ୍ରସ୍ତାବ ଆଧାରରେ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଦିବଂଗତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମାନଭାବେ ଅନ୍ୟ ଜିଲ୍ଲା କମିଟିମାନେ ଏହିଭଳି ଗଠନମୂଳକ ପ୍ରସ୍ତାବ କିମ୍ବା ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଶେଷକରି ଦଳପାଇଁ ଏବଂ ସରକାରପାଇଁ ତୃଣମୂଳ କର୍ମୀମାନେ ଭିନ୍ନ ଭିନ୍ନ ପ୍ରସ୍ତାବ ରଖିବାକୁ କୁହାଯାଇଥିବା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଜିଲ୍ଲା ସଭାପତିମାନେ ଏସବୁ ପ୍ରସ୍ତାବକୁ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏବଂ ପରେ ମୁଖ୍ୟମନ୍ତ୍ରୀ ନିଜେ ସେଗୁଡ଼ିକୁ ପଢ଼ିବା ସହ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣକରିବେ। ସୂଚନାଯୋଗ୍ୟ, ଆଜିର କାର୍ଯ୍ୟକ୍ରମରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ କର୍ମୀମାନଙ୍କୁ ସଂଗଠିତ କରିବା ଲାଗି ବିଭିନ୍ନ ଜିଲ୍ଲା କମିଟିର ସଭାପତିମାନେ ଗୁରୁତ୍ୱାରୋପ କରିଥିଲେ। ଦଳର ଆଭିମୁଖ୍ୟ ନେଇ କର୍ମୀଙ୍କୁ ପ୍ରଶିକ୍ଷଣ ଦେବା କଥା ମଧ୍ୟ ଉଠାଇଥିଲେ। ଦଳ ବାରମ୍ବାର ନିର୍ବାଚନର ସାମ୍ନାକରୁଥିବାରୁ ଏଥିପାଇଁ ଦଳ ମଧ୍ୟରେ ଏକ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା।
କାର୍ଯ୍ୟକ୍ରମରେ ମଧ୍ୟ ମଞ୍ଚ ତଳେ ଏକ ଡ୍ରପ୍ ବାକ୍ସ ରଖାଯାଇଥିଲା।
ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ବିଜେଡି ସଭାପତି ଏବଂ ବରିଷ୍ଠ ନେତାମାନେ ଦଳକୁ ସୁଦୃଢ଼ କରିବା ଲାଗି ନିଜର ମତାମତ ଲିଖିତ ଆକାରରେ ଏଥିରେ ପକାଇଥିଲେ। ନୂତନ କରି ରାଜ୍ୟ ପରିଷଦ ଗଠନ ହେବାପରେ ଆଜି ପ୍ରଥମ କରି ଏହାର ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ଏଥିରେ ଅଂଶଗ୍ରହଣ କରିଥିବା ଦଳର ଛାମୁଆ ନେତା ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ରକୁ ସାଙ୍ଗରେ ଧରି ଫେରିଛନ୍ତି। ଆଗାମୀ ଦିନରେ ଦଳକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ସହ ନୂଆ ଭୋଟରଙ୍କୁ ଦଳପ୍ରତି ଆକର୍ଷିତ କରିବା ଲାଗି ସମସ୍ତେ କାର୍ଯ୍ୟକରିବେ ବୋଲି ଜଣାଇଛନ୍ତି।