ସୁପ୍ରିମୋଙ୍କ ଆହ୍ୱାନ: ମହିଳାଙ୍କ ହକ୍ ପାଇଁ ଲଢ଼େଇ କରିବ ବିଜେଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ମହିଳା କାର୍ଡ ଖେଳିଛନ୍ତି। ଏହାସହ ଜାତୀୟ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆ’ମାନେ ସମାଜର ଚକ ଓ ଅଖ। ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟସ୍ତରରେ ବିଜେଡି ତା’ର ଲଢ଼େଇ ଜାରି ରଖିବ। ଅନ୍ୟପକ୍ଷରେ ସେ କହିଛନ୍ତି ନିର୍ବାଚନ ଆସିଲେ ଜାତୀୟ ଦଳଗୁଡ଼ିକଙ୍କର ମହିଳାଙ୍କ କଥା ମନେପଡ଼େ। ନିର୍ବାଚନୀ ଇସ୍ତାହାରରେ ସେମାନେ ମହିଳାଙ୍କ ସ୍ୱାର୍ଥ ନେଇ ବହୁତ ବଡ଼ ପ୍ରତିଶ୍ରୁତି ବି ଦେଇଥାନ୍ତି। ଆଉ ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। ଆମ ଦଳ ତାହା କରିନାହିଁ, ବରଂ ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହ ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକଟ ଦେଇଛି ବୋଲି ନବୀନ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ବିଜୁ ଜନତାଦଳ ୨୪ ବର୍ଷରେ ପଦାର୍ପଣ କରିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟାନାୟକଙ୍କ ନାମରେ ୧୯୯୭ ଡିସେମ୍ବର ୨୬ରେ ଏହି ଆଞ୍ଚଳିକ ଦଳ ଗଠନ ହୋଇଥିଲା। କୋଭିଡ୍ କଟକଣା ଭିତରେ ଶନିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ସବୁ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ଚବିଶତମ ପ୍ରତିିଷ୍ଠା ଦିବସ ପାଳନ ହୋଇଛି।

ଏହି ଅବସରରେ ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ, ମହିଳା ସଶକ୍ତୀକରଣ ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମହିଳା ଆଗେଇଲେ ଦେଶ ଓ ସମାଜ ଆଗେଇବ। ବିନା ମହିଳା ସଶକ୍ତୀକରଣରେ କୌଣସି ଘର, ସମାଜ, ରାଜ୍ୟ ଓ ଦେଶ ଆଗକୁ ବଢ଼ିପାରିବନାହିଁ। ଆମକୁ ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆମ ମାଆମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ। ମା’ମାନେ ହିଁ ପ୍ରକୃତରେ ସମାଜର ଚକ ଓ ଅଖ। ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ଯାଇ ପାରିବ ନାହିଁ। ଆମର ମାଆମାନେ ହିଁ ଏହି ସାମାଜିକ ଆନ୍ଦୋଳନର ଆତ୍ମା। ଏକ ସଶକ୍ତମିହଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ। ଆମେ କଥା ନୁହେଁ ଆମେ କାମରେ ବିଶ୍ୱାସ କରୁ ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁବାବୁ ୧୯୯୨ରେ ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୋ÷ରାଞ୍ଚଳ, ସରକାରୀ ଚାକିରିରେ ୩୩% ସଂରକ୍ଷଣ କରି ଇତିହାସ ସୃଷ୍ଟିକରିଥିଲେ। ତାଙ୍କ ଭାଷାରେ ‘ମୋର ପୂରା ବିଶ୍ୱାସ ଯେଉଁ ମାଆ ଓ ଭଉଣୀମାନେ ନିଜ ଘରକୁ ଅତି ସୁଚାରୁ ରୂପେ ଚଳାଉଛି ସେମାନେ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ମଧ୍ୟ ସମାନ ଦକ୍ଷତାର ସହ ଚଳାଇପାରିବେ।’ ସେହି ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୋ÷ରାଞ୍ଚଳରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଛି। ବିଜେଡି ଦେଶର ଏକ ମାତ୍ର ଦଳ ଭାବେ ୨୦୧୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ରେକର୍ଡ କରିଥିଲା। ଭବିଷ୍ୟତରେ ତାହା ଜାରି ରହିବ। ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ତା’ର ସ୍ୱରକୁ ଆହୁରି ଜୋରଦାର କରିବ। ପ୍ରତି ସ୍ତରରେ ଏହି ବିଷୟ ଉଠାଯିବ । ମହିଳାଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ରାଜ୍ୟସ୍ତରରେ ଓ ଜାତୀୟସ୍ତରରେ ଲଢ଼େଇ ଜାରି ରଖିବ। ଭାରତର ସବୁ ମହିଳାଙ୍କ ନିକଟରେ ଏହି ସୂଚନା ପହଞ୍ଚାଯିବ। କାରଣ ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ ବିଜୁ ଜନତାଦଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ ଭାଇଭଉଣୀଙ୍କ ପରିଶ୍ରମ ଫଳରେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଏହି ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ମାଆମାନଙ୍କୁ ଆହ୍ୱାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।।

ଏହି ପ୍ରତିଷ୍ଠା ଦିବସ ସମାବେଶରେ ବିଜେଡିର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ଡଃ.ସସ୍ମିତ ପାତ୍ର , ସୁଶାନ୍ତ ରାଉତ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ଅନନ୍ତ ନାରାୟଣ ଜେନା ଏବଂ ଦଳର ଗଣମାଧ୍ୟମ ଓ ଯୋଗାଯୋଗ ସାଧାରଣ ସମ୍ପାଦକ ମାନସରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment