ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣକଲେ ବିଶ୍ୱଭୂଷଣ ହରିଚନ୍ଦନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧିବଦ୍ଧ ଭାବେ ଗତକାଲି ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସି ପ୍ରବୀଣ କୁମାର ଶ୍ରୀଯୁକ୍ତ ହରିଚନ୍ଦନଙ୍କୁ ଶପଥ ପାଠ କରାଇଥିଲେ । ଶ୍ରୀଯୁକ୍ତ ହରିଚନ୍ଦନ ଓଡ଼ିଆରେ ଶପଥ ପାଠ କରିଥବା ସୂଚନା ମିଳିଛି । ଏହି ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ । ଆନ୍ଧ୍ର ଓ ତେଲେଙ୍ଗାନା ଦୁଇ ତେଲୁଗୁଭାଷୀ ରାଜ୍ୟର ରାଜ୍ୟପାଳ ଦାୟିତ୍ୱରେ ଥିବା ଇଏଲ୍‌ ନରସିହ୍ମା ଏଥର କେବଳ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନା ଅନୁଯାୟୀ, ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ନେଇ ଗତ ୧୬ତାରିଖରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୯୭୧ ମସିହାରୁ ଭାରତୀୟ ଜନସଂଘରୁ କ୍ୟାରିଅର ଆରମ୍ଭ କରିଥିବା ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା । ଶ୍ରୀ ହରିଚନ୍ଦନ ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

Leave a comment