ବାର୍ଡ ଫ୍ଲୁ ବଢ଼ାଇଲା ଚିନ୍ତା, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କୁକୁଡ଼ା ଓ ଅଣ୍ଡା ନଖାଇବାକୁ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ପାଇଁ କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି । ମାଲୁଦ ଏବଂ ପଥରଗଞ୍ଜର ୨ଟି ଫାର୍ମରେ ୪ଶହ କୁକୁଡ଼ାକୁ ମାରି ଦିଆଯାଇଛି ।ତା’ସହ ଗାତ ଖୋଳି ଫର୍ମାଲିନ ଏବଂ ବ୍ଲିଚିଂ ପକାଇ ସେସବୁ କୁକୁଡ଼ାକୁ ପୋତି ନଷ୍ଟ କରି ଦିଆଯାଇଛି । ଆଗାମୀ ୧୦ ଦିନ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା ଲଗାଯାଇଛି । ସେହିପରି ମାଲୁଦ ଏବଂ ପଥରଗଞ୍ଜର ଫାର୍ମରୁ ଏକ କିଲୋମିଟର ଦୂରରେ ଥିବା ଫାର୍ମ ଏବଂ ଗାଁ ଗୁଡ଼ିକୁ ଯାଇ କୁକୁଡ଼ା ମରାଯିବାକୁ ନିଷ୍ପତ୍ତି ନିଆଯାଇଛି । କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଉପରେ ନଜର ରଖିବାକୁ ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିବାସହ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ କିଛିଦିନ ପର୍ଯ୍ୟନ୍ତ ଅଣ୍ଡା ଖାଇବାକୁ ନଦେବା ଲାଗି ନିଷ୍ପତ୍ତି ହୋଇଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ କାଉ ଓ ପାରା ମରି ପଡିଥିବା ଦଖିବାକୁ ମିଳୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି ।