ବିଜୁ ଜନତା ଦଳ ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ:ଅନିଲ ବିଶ୍ୱାଳ
ଗତକାଲି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟଙ୍କର ଭୁବନେଶ୍ୱରରେ ଏକ ସଭାରେ ବାରମ୍ବାର ବିଦ୍ୟୁତ୍କାଟ ହେଲା । ଏହା ପଛରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଥିବା ସ୍ପଷ୍ଟ ଅନୁମାନ କରିହେଉଛି । କାରଣ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟ କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଦର୍ଶନ ଅବ୍ୟବସ୍ଥାକୁ ନେଇ ନିଜର ଉଦ୍ବେଗ ପ୍ରକାଶ କରିଥିଲେ । ଏହାକୁ ନେଇ ବିଜୁ ଜନତା ଦଳର ଜଣେ ସାଂସଦ ନଭେମ୍ବର ୨୪ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟଙ୍କୁ ସମାଲୋଚନା କରିଥିଲେ । ଏହାର ଠିକ୍ ପରଦିନ ଅର୍ଥାତ୍ ନଭେମ୍ବର ୨୫ତାରିଖ ଦିନ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍କାଟ ହେବା ଦର୍ଶାଉଛି ଯେ, ବିଜୁ ଜନତା ଦଳ ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ ।
ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟ ଆଗରୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ପାଇକ ସଂଗ୍ରାମ ସ୍ମାରକୀ ନିର୍ମାଣ ବିଳମ୍ବିତ ପ୍ରସଙ୍ଗରେ ଜଣେ ଓଡ଼ିଆ ଭାବରେ ନିଜର ଉଦ୍ବେଗ ପ୍ରକାଶ କରିଥିଲେ । ଯାହା ବୋଧହୁଏ ବିଜୁ ଜନତା ଦଳ ସରକାରଙ୍କୁ ଭଲ ଲାଗି ନଥିଲା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି । ଆଗରୁ ରାଷ୍ଟ୍ରପତି ମହାମହିମ ଦୌପଦୀ ମୁର୍ମୁଙ୍କ ସଭାରେ ମଧ୍ୟ ବିଦ୍ୟୁତ୍କାଟ ହୋଇଥିଲା । ଓଡ଼ିଶାରେ ଏଭଳି ଘଟଣା ବାରମ୍ବାର ଘଟିବା ପଛରେ କାରଣ କ’ଣ? ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସଚିବଙ୍କ ସଭାରେ କାହିଁ କେବେ ବିଦ୍ୟୁତ୍କାଟ ହେବାର ନଜିର ନାହିଁ । ଏଥିରୁ ଲାଗୁଛି ବୋଧହୁଏ ରାଜ୍ୟ ସରକାର ଜାଣିଶୁଣି ଏଭଳି କରୁଛନ୍ତି । ଏଭଳି ନୀଚ ମାନସିକତା ଓଡ଼ିଆ ଲୋକମାନଙ୍କର ଲୋକଚରିତ୍ର ନୁହେଁ । ଯାହା ଘଟୁଛି ଏହା ଓଡ଼ିଶା ପାଇଁ ଚିନ୍ତାଜନକ ଓ ଲଜ୍ଜ୍ୟାଜନକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।
ଏବେ ନଭେମ୍ବର ୨୦ ତାରିଖ ଦିନ ମାନନୀୟା ରାଷ୍ଟ୍ରପତି ମହୋଦୟା ଓଡ଼ିଶାଗସ୍ତରେ ଆସିଥିଲେ । ରାଷ୍ଟ୍ରପତି କୌଣସି ରାଜ୍ୟକୁ ଗସ୍ତ କଲେ ସେଠାକାର ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ପାଇଁ ଆସିବାର ନିୟମ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ସେଦିନ ସ୍ୱାଗତ ପାଇଁ ଯାଇନଥିଲେ । ମାନନୀୟା ଦୌପଦୀ ମୁର୍ମୁ ହେଉଛନ୍ତି ଓଡିଶାମାଟିର ଝିଅ, କେବଳ ଆଦିବାସୀ ସମାଜ ନୁହେଁ ସାରା ଓଡ଼ିଶା ପାଇଁ ଗର୍ବ । କିନ୍ତୁ ତାଙ୍କୁ ଦେଖା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ ଯାହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଭଲ ସନ୍ଦେଶ ଦେଉନାହିଁ । କେବଳ ସାମ୍ବିଧାନିକ ନୁହେଁ ଜଣେ ଓଡ଼ିଆ ଭାବରେ ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ ଯିବା ସ୍ୱଭାବିକ କିନ୍ତୁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ଆଜି ମଧ୍ୟ ରାଷ୍ଟ୍ରପତି ମହୋଦୟା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ସେ ସେଭଳି ଭୁଲ ଆଉ କରନ୍ତୁ ନାହିଁ । ନହେଲେ ଏହା ଓଡ଼ିଶା ପାଇଁ ଏକ ଅପମାନ ସୂଚକ କଥା ହେବ । ମୁଖ୍ୟମନ୍ତ୍ରୀ ନିଜକୁ ଶ୍ରେଷ୍ଠ ଭାବି ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ କରନ୍ତୁ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।