ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ : ପକ୍କାଘର ଓ ଓବିସି ଗଣନାନେଇ ସରକାରଙ୍କୁ ଘେରିବେ ବିରୋଧୀ !
ଓଡିଶା ଫାଷ୍ଟ( ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ଏହି ବଜେଟ ଅଧିବେଶନ ଆରମ୍ଭହେବା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କର ସହଯୋଗ ଲୋଡିଛନ୍ତି। ପ୍ରକାଶ ଥାଉକି, ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଚଳିତବର୍ଷର ବଜେଟ ଅଧିବେଶନ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜୁ ଜନତା ଦଳ ମଧ୍ୟ ତା ବିଧାୟକ ଦଳ ବୈଠକ ଡାକିଛି । ପୃଥକ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳର ମଧ୍ୟ ବୈଠକ ବସିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନା ଓ ଓବିସି ଗଣନାକୁ ନେଇ ବିଜେପି ବିଧାନସଭାରେ ରାଜ୍ୟସରକାରଙ୍କୁ ଘେରିପାରେ । ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି କହିଛି ।