ହାତଘଣ୍ଟା ପାଇଁ ମାର୍କେଟ ବିଲ୍ଡିଂରେ ଲଙ୍କାକାଣ୍ଡ ୪୦ରୁ ଉର୍ଦ୍ଧ ଦୋକାନ ଚୁରମାର। ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାତଘଣ୍ଟା କିଣାକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ମାର୍କେଟ ବିଲ୍ଡିଂରେ ଘଟିଥିଲା ଛାତି ଥରାଇଲା ପରି ଲଙ୍କାକାଣ୍ଡ । ୩୦ରୁ ଉର୍ଦ୍ଧ ଯୁବକ ମୁଖାପିନ୍ଧା ହାତରେ ହକିଷ୍ଟ୍ରିକ୍ ଧରି ମଚାଇଥିଲେ ଆତଙ୍କରାଜ ।
ଭାଙ୍ଗିଥିଲେ ୫୦ରୁ ଉର୍ଦ୍ଧ ଦୋକାନ । ପରିସ୍ଥିତି ଏପରି ହେଲାକି ପ୍ରାଣ ବିକଳରେ ଲୋକ ଦୌଡ଼ି ଥିଲେ । ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବଡଗଡ କେନାଲ ରୋଡର ଏହି ଦୁଇ ଯୁବକଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଯୁବକଙ୍କ ଆକ୍ରମଣରେ ୪ ଜଣ ବ୍ୟବସାୟୀ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବଂ କ୍ଷତିଗ୍ରସ୍ତ ବ୍ୟବସାୟୀ କ୍ୟାପିଟାଲ ଥାନାରେ ଅଭିଯୋଗ କରି ଅଭିଯୁକ୍ତମାନଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ଅମୋଦ ସାହୁଙ୍କ ଘଣ୍ଟା ଦୋକାନକୁ ଜଣେ ଯୁବକ ଏବଂ ଜଣେ ଯୁବତୀ ଆସିଥିଲେ । ସେଠାରେ ସେମାନେ ଏକ ଘଣ୍ଟା କିଣିବାକୁ ଚାହିଁଥୁବା ବେଳେ ଅମୋଦ ଘଣ୍ଟାର ଦାମ ଅଧିକ କହିଥିଲେ । ଯାହାକୁ ନେଇ ସେଠାରେ ଅମୋଦଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଯୁବତୀ ଜଣଙ୍କ ରାଗି ଯାଇ ଘଣ୍ଟାକୁ ବାହାରକୁ ପକାଇ ଦେବାରୁ ଯୁକ୍ତିତର୍କ ବଢିଯାଇଥିଲା । ପରେ ଉକ୍ତ ଯୁବତୀଙ୍କ ୩ ଜଣ ସହଯୋଗୀ ସେଠାରେ ପହଞ୍ଚି ଅମୋଦକୁ ମାଡ ମାରିଥିଲେ । ଯାହାକୁ ସ୍ଥାନୀୟ ଦୋକାନୀମାନେ ବିରୋଧ କରିବା ସହ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମାତ୍ର ଶୁକ୍ରବାର ସନ୍ଧ୍ୟା ୬.୩୦ ବେଳେ ହଠାତ୍ ୩୦ରୁ ଉର୍ଦ୍ଧ ଯୁବକ ମୁହଁରେ ମୁଖାପିନ୍ଧି ହାତରେ ହକିଷ୍ଟ୍ରିକ୍ ଧରି ଅତର୍କିତ ଭାବେ ମାର୍କେଟ ବିଲ୍ଡିଂ ଭିତରେ ପ୍ରବେଶ କରି ପ୍ରଥମେ ଅମୋଦଙ୍କୁ ଆକ୍ରମଣ କରିଥିଲେ । ପରେ ଅନ୍ୟ ବ୍ୟବସାୟୀମାନେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ସହ ସେମାନଙ୍କ ଜିନିଷପତ୍ରକୁ ଫିଙ୍ଗାଫୋପଡା କରି ଆତଙ୍କ ଖେଳାଇଥିଲେ ।