ଲୁଟେରାଙ୍କ ପାଇଁ ସୁରକ୍ଷା କବଚ ପାଲଟିଛି ଭୁବନେଶ୍ୱର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଲୁଟେରାଙ୍କ ଦବଦବା । ପୋଲିସ ସାଜିଛି ନିରବଦ୍ରଷ୍ଟା । ପୋଲିସକୁ ଚକମା ଦେବାରେ ସଫଳ ଅପରାଧୀ । ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଛି ସୁରକ୍ଷା ବ୍ୟବସ୍ଥା । ଏହା ଗତକାଲି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ଅପରାଧୀ ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ରସୁଲଗଡ଼ସ୍ଥିତ ଏକ ହୋଟେଲ ମାଲିକଙ୍କୁ ଗତକାଲି ରାତିରେ ଘଟିଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ଏବଂ ଅଭିଯୁକ୍ତର ଗିରଫ ଦାବିରେ ସ୍ଥାନୀୟ ବାସିନ୍ଦା ଆଜି ସକାଳେ ରସୁଲଗଡ଼ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ପୁରୀ, ଭୁବନେଶ୍ୱର ଓ କଟକ ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଅଭିଯୁକ୍ତକୁ ଗିରଫ ପ୍ରତିଶୃତି ପରେ ଆନ୍ଦୋଳନକାରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।
ସୂଚନା ଅନୁଯାୟୀ, ଗତକାଲି ସକାଳେ ବନ୍ଧୁକ ଦେଖାଇ ଗାଡ଼କଣ ଅଞ୍ଚଳରେ ଏକ ଦମ୍ପତ୍ତିଙ୍କଠାରୁ ଟଙ୍କା ଓ ସୁନାଗହଣା ଲୁଟ କରିଥିଲେ । ସେହିପରି ରସୁଲଗଡ଼ ଅଞ୍ଚଳର ଆଦିମାତା କଲୋନୀର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମର୍ଣ୍ଣିୱାକରୁ ଫେରୁଥିବା ସମୟରେ ଲୁଟର ଶିକାର ହୋଇଥିଲେ । ଦୁର୍ବୁତ୍ତ ତାଙ୍କ ସୁନା ମୁଦି ଛଡାଇ ନେଇଥିଲେ ।
ଗତକାଲି ସନ୍ଧ୍ୟାରେ ପୁରୀ ବାଇପାସ ରୋଡସ୍ଥିତ ଏକ ସେକେଣ୍ଡ ହ୍ୟାଣ୍ଡ କାର ଶୋରୁମ ମାଲିକଙ୍କ ଚେନ ଦୁର୍ବୃତ୍ତ ଝାମ୍ପି ନେଇଥିବା ବେଳେ ଉକ୍ତ ଶୋ’ ରୁମ୍କୁ ଆସୁଥିବା ୨ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ୫ ଜଣ ସଶସ୍ତ୍ର ଡକାୟତ ସାମିଲ ଥିବା ଅଭିଯୋଗ କରିଛନ୍ତି ଶୋ’ ରୁମ ମାଲିକ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶୋ’ ରୁମ ମାଲିକ ଓ ଦୁଇ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ସେହିପରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଜଣେ ହୋଟେଲ ମାଲିକଙ୍କୁ ରସୁଲଗଡ଼ଅଞ୍ଚଳରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।