ପତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲଦଣ୍ଡ

0

ପତ୍ନୀ ହନ୍ତା ସ୍ଵାମୀକୁ ଆଜୀବନ ଜେଲଦଣ୍ଡ। ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଆଶିଶ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮ ବର୍ଷ)ଙ୍କୁ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ପାଇଁ ପୁଣି ୩ ମାସ ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିବରଣୀ ଅନୁଯାୟୀ, ଟୁଟୁ ଓରଫ କାଳିଆ ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥ ଜିୟୁ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ ୨୦୧୪ ମସିହା ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ସମୟରେ କୈଳାସ ପରିବାର ତରଫରୁ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଘରକରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆଯାଇଥିଲା। ବିବାହର ମାତ୍ର ୮ ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ସହ ମାରଧର କରୁଥିଲେ। ଉଭୟ ସ୍ଵାମୀ-ସ୍ତ୍ରୀ ଗତ ୨୦୧୫ ମସିହା ଏପ୍ରିଲ ୯ ତାରିଖ ନିଜ ବେଡ ରୁମରେ ରାତିରେ ଶୋଇଥିବା ସମୟରେ ସ୍ଵାମୀ କାଳିଆ ଗୌରିମଣୀକୁ ମାଡମାରି ଏକ ପ୍ଲାଷ୍ଟିକ ଦଉଡିରେ ଚାପି ଜୀବନରୁ ମାରି ଦେଇଥିଲା। ପରେ ତାକୁ ଡାକ୍ତରଖାନାକୁ ନେଈ ଆସିବା ପରେ ପିତା ଫକିର ଚରଣ ଖବର ପାଇ ତିହିଡି ମେଡିକାଲରେ ପହଞ୍ଚିଥିଲେ। ଝିଅ ଗୌରିମଣିକୁ ହତ୍ୟା କରାଯାଇ ଥିବା ଅଭିଯୋଗ କରି ଚାନ୍ଦବାଲି ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ।

ପୋଲିସ କେସ ନଂ-୬୮/ ୨୦୨୨ ଦଫା-୪୯୮(କ), ୩୦୨, ୩୦୪(ଖ) ଦଫାରେ ସ୍ଵାମୀ କୈଳାସ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଥିଲା। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ ମଧ୍ୟ ପାରିପାର୍ଶ୍ଵିକ ସାକ୍ଷୀମାନଙ୍କ ବୟାନ ଓ ଅଭିଯୁକ୍ତ କୈଳାସର ଦୋଷ ସ୍ଵୀକାର ଜମାନବନ୍ଦୀ ଓ ହତ୍ୟାରେ ବ୍ୟବହୃତ ଦଉଡିକୁ ପୋଲିସକୁ ଦେଇଥିବାରୁ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ବାଂଶଡା ଥାନାର ତତକାଳୀନ ଥାନା ଅଧିକାରୀ ଗୋକୁଳାନନ୍ଦ ଦାସଙ୍କ ସମୟ ଉପଯୋଗୀ ପଦକ୍ଷେପ, ପ୍ରମାଣଯୋଗ୍ୟ ତଥ୍ୟ ଓ ଦୂରଦୃଷ୍ଟି ସମ୍ପନ୍ନ ତଦନ୍ତ ଯୋଗୁଁ ଅଭିଯୁକ୍ତ ଆଇନର ହାତରୁ ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ ବୋଲି ମମଲା ପରିଚାଳନା କରୁଥିବା ସରକାର ଓକିଲ ପ୍ରଦିପ୍ତ ସାମଲ କହିଛନ୍ତି। ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ଶ୍ରୀ ସାମଲଙ୍କ ସହ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।

Leave a comment