ଚୁଟି କାଟିବା ପେସାରୁ ରାଜନେତା ବନିବା ନିଶାରେ ୯୦ବର୍ଷୀୟ ବୃଦ୍ଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୟସର ଅପରାହ୍ନରେ ଜନସେବା ପାଇଁ
ଉପନିର୍ବାଚ ମଇଦାନକୁ ଓହ୍ଲାଇଛନ୍ତି ଜଣେ ୯୦ ବର୍ଷର ବୃଦ୍ଧ।
ପେସା ତାଙ୍କର ଚୁଟି କାଟିବା। ଆଉ ନିଶା ହେଉଛି ସମାଜରେ ପରିବର୍ତ୍ତନ ଆଣିବା । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ୱର ସଦର ବିଧାନସଭା ଆସନ ଉପ-ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବେଣୁଧର ବାରିକ। ବେଣୁଧର ଦୀର୍ଘଦିନ ଧରି ବାଲେଶ୍ୱର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲଢେଇ କରି ଆସୁଛନ୍ତି। ଆଉ ଏବେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ବସ୍ତି ବାସିନ୍ଦାଙ୍କ ପାଇଁ କାମ କରିବାକୁ ମନ ବଳାଇଛନ୍ତି। ତିନି ପ୍ରମୁଖ ଦଳ
ବିଭିନ୍ନ ଉପାୟରେ ଭୋଟ ଭିକ୍ଷା କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ଲୋକଙ୍କୁ ସତ ଉପାୟରେ ଚାଲିବାକୁ କହୁଛନ୍ତି। ସହଯୋଗୀଙ୍କ ସହିତ ଘରକୁ ଘର ବୁଲି ସେ ଭୋଟ ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ କଣ କରିବେ ସେ କଥା ମଧ୍ୟ ବୁଝାଇ ଦେଉଛନ୍ତି ।

ସୂଚନାଯୋଗ୍ୟ, ବେଣୁଧରଙ୍କ ଘର ବାହାନଗା ଅଞ୍ଚଳରେ । ୧୯୪୫ ମସିହାରୁ ସେ ବାଲେଶ୍ୱର ଆସି ଚୁଟି କାଟି ପରିବାର ପ୍ରତିପୋଷଣ କରୁଛନ୍ତି । ଏହାରି ଭିତରେ ବସ୍ତିରେ ରହୁଥିବା ଲୋକଙ୍କ ସମସ୍ୟା ପାଇଁ କାମ କରନ୍ତି ବେଣୁଧର । କିଏ ଘର ପାଇବ, ତ’ ପୁଣି କାହାର ଭତ୍ତା ପାଇଁ ବ୍ଲକ୍‌ ଅଫିସ ନହେଲେ ମ୍ୟୁନିସିପାଲିଟିକୁ ଦୌଡ଼ିଥାନ୍ତି ସେ । ବାମଦଳରେ ଦୀର୍ଘ ଦିନ ଧରି ସେ ସଦସ୍ୟ ରହି ସାରିଛନ୍ତି । ବାଲେଶ୍ୱର ଗୁଡ଼ିପଦାର ବାସିନ୍ଦା ବେଣୁଧର ଏଥର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ପାଇଁ କାମ କରିବାକୁ ମନସ୍ଥ କରିଛନ୍ତି ।

Leave a comment