ସାବଧାନ, ରାଜଧାନୀରେ ବୁଲୁଛନ୍ତି ଯୌନ ପିପାସୁ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାବଧାନ ରୁହନ୍ତ । ନିଜ ଛୋଟ ଛୋଟ ପିଲାଙ୍କୁ ଏକୁଟିଆ ଛାଡ଼ନ୍ତୁ ନାହିଁ ସ୍କୁଲ ଓ ଟ୍ୟୁସନ । ରାଜଧାନୀରେ ବୁଲୁଛନ୍ତି ଯୌନ ପିପାସୁ । କୌଣସି ମୁହୂର୍ତ୍ତରେ ଆପଣଙ୍କ କୋମଳମତି ଛୁଆଙ୍କ ସହ ହୋଇପାରେ ସମ୍ନା ଏହି ପରି ଯୌନ ପିପାସୁର । କିଛିଦିନ ତଳେ ଏହିପରି ଏକ ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ତେଣୁ ନିଜ ଛୁଆଙ୍କ ସୁରକ୍ଷାକୁ ନେଇ ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ଜଣେ ନାବାଳିକା ନିଜ ସାଇକେଲରେ ଶବର ସାହି ଲେନ୍ ଦେଇ ଟ୍ୟୁସନ ଯାଉଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଗାଡ଼ିରେ ଆସି ଝିଅଟିକୁ ଅଟକାଇବାକୁ ଚେଷ୍ଟା କରିବା ସହ ଅସଦାଚରଣ ମଧ୍ୟ କରିଥିଲା । ଏହି ଘଟଣା ସମ୍ୱନ୍ଧରେ ନବଳିକାର ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ପୋଲିସ ଉକ୍ତ ସ୍ଥାନରେ ସିସି ଟିଭି ଫୁଟେଜ୍ରୁ ସମସ୍ତ ଘଟଣା ଅନୁଧ୍ୟାନ କରିଥିଲା । ଏହି ସିସି ଟିଭି ଫୁଟେଜ୍ରେ କିପରି ଉକ୍ତ ବ୍ୟକ୍ତି ଜଣଙ୍କ ବହୁ ସମୟ ଧରି ନାବାଳିକାର ପିଛା କରୁଛି ଓ ନିଛାଟିଆ ସ୍ଥାନ ଦେଖି ନାବଳିକାକୁ ଅଟକାବାକୁ ଚେଷ୍ଟାକରୁଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।
ଯେତେବେଳେ ଉକ୍ତ ବ୍ୟକ୍ତି ଜଣକ ନିଛାଟିଆ ସ୍ଥାନରେ ନାବାଳିକାଟିକୁ ଅସଦାଚରଣ କରିବା ସହ ଅଟକାଇବାକୁ ଚେଷ୍ଟା କରିଥିଲା ସେତେବେଳେ ଝିଅଟି ନିଜ ଉପସ୍ଥିତ ବୁଦ୍ଧି ଲଗାଇ ଜୋରରେ ଚିତ୍କାର କରିଥିଲା । ଝିଅଟିର ଚିତ୍କାର ଶୁଣି ଉକ୍ତ ବ୍ୟକ୍ତି ଜଣକ ସେ ସ୍ଥାନରୁ ଖସି ପଳାଇଥିଲା ।
ଅପରପକ୍ଷରେ ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଅନେକ ଦିନ ହେଲାଣି ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜ୍ରୁ ସମସ୍ତ ଘଟଣା ସ୍ପଷ୍ଟ ହେଇଯାଇଛି, ଗାଡି ନମ୍ବର ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି ହେଲେ ଆଜିପର୍ଯ୍ୟନ୍ତ ପୋଲିସ କାହିଁକି ଉକ୍ତ ବ୍ୟକ୍ତିକୁ ଗିରଫ କରୁନାହିଁ ।
ଏହିପରି ସମ୍ବେଦନଶୀଳ ଘଟଣାରେ ପୋଲିସର ନିଷ୍କ୍ରିୟତା ରାଜଧାନୀବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କାହିଁକି ପୋଲିସ ହାତ ଉପରେ ହାତ ଧରି ବସିଛି । ରାଜଧାନୀର ଛୋଟ ଛୋଟ ପିଲାଙ୍କ ସହ କୌଣସି ଅଘଟଣ ଘଟିଲେ ଦାୟୀ କିଏ ହେବ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି ।