ଘରୋଇ କ୍ରିକେଟ୍ ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ, ରଣଜୀ ଟ୍ରଫି ଚାମ୍ପିଅନକୁ ମିଳିବ ୫ କୋଟି
ସମସ୍ତ ଘରୋଇ କ୍ରିକେଟ୍ର ପୁରସ୍କାର ରାଶିରେ ବୈପ୍ଳବିକ ସଂଶୋଧନ ଆଣିଛି ବିସିସିଆଇ । ଘୋଷିତ ନୂଆ ପୁରସ୍କାର ରାଶି ସମସ୍ତଙ୍କୁ ଚକିତ କରିଛି । ଯଦି ଗୋଟିଏ ଦଳ ରଣଜୀ ଟ୍ରଫି ଚାମ୍ପିଅନ ହୁଅନ୍ତି, ତେବେ ଆସନ୍ତା ୨୦୨୩-୨୪ ସିଜନରୁ ୫ କୋଟି ଟଙ୍କାର ପୁରସ୍କାର ପାଇବେ । ନୂଆ ସଂଶୋଧିତ ପୁରସ୍କାର ରାଶି ସଂପର୍କରେ ଘୋଷଣା କରି ଏ ବିଷୟରେ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।
ଗତ ସିଜନରେ ରଣଜୀ ଟ୍ରଫି ଚାମ୍ପିଅନଙ୍କୁ ୨ କୋଟି, ରନର୍ସଅପ୍ଙ୍କୁ ୧ କୋଟି ଏବଂ ଯେଉଁମାନେ ସେମି ଫାଇନାଲ ଖେଳୁଥିଲେ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପାଇଥିଲେ । କିନ୍ତୁ ଆଗାମୀ ସିଜନରୁ ଚାମ୍ପିଅନଙ୍କୁ ୫ କୋଟି, ରନର୍ସଅପ୍ଙ୍କୁ ୩ କୋଟି ଏବଂ ସେମି ଫାଇନାଲିଷ୍ଟ ଦଳ ଦ୍ୱୟଙ୍କୁ ୧ କୋଟି ଲେଖାଏଁ ମିଳିବ ।
ସେହିପରି ଇରାନି କପ୍ରେ ଚାମ୍ପିଅନଙ୍କୁ ୨୫ ଲକ୍ଷ ଟଙ୍କା ମିଳୁଥିଲା । ହେଲେ ଆଗକୁ ଚାମ୍ପିଅନଙ୍କୁ ୫୦ ଲକ୍ଷ ଏବଂ ରନର୍ସଅପ୍ଙ୍କୁ ୨୫ ଲକ୍ଷ ଟଙ୍କା ପାଇବେ । ଦୁଲିପ ଟ୍ରଫିରେ ଚାମ୍ପିଅନଙ୍କୁ ୪୦ ଲକ୍ଷ ଏବଂ ରନର୍ସଅପ୍ଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଉଥିଲା । ଏଥର ଚାମ୍ପିଅନଙ୍କୁ ୧ କୋଟି ଓ ରନର୍ସଅପ୍ଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ ।
ବିଜୟ ହଜାରେ ଟ୍ରଫିର ଚାମ୍ପିଅନ ମଧ୍ୟ ଆକର୍ଷଣୀୟ ପୁରସ୍କାର ପାଇବେ । ପୂର୍ବରୁ ଚାମ୍ପିଅନଙ୍କୁ ୩୦ ଏବଂ ରନର୍ସଅପ୍ଙ୍କୁ ୧୫ ଲକ୍ଷ ମିଳୁଥିଲା, କିନ୍ତୁ ଏବେ ଚାମ୍ପିଅନ ୧ କୋଟି ଓ ରନର୍ସଅପ ଦଳ ୫୦ ଲକ୍ଷ ଟଙ୍କା ପାଇବେ । ସେହିପରି ଦେଓଧର ଟ୍ରଫିରେ ଚାମ୍ପିଅନ ୪୦ ଲକ୍ଷ ଓ ରନର୍ସଅପ୍ଙ୍କୁ ମିଳିବ ୨୦ ଲକ୍ଷ । ପୂର୍ବରୁ ଚାମ୍ପିଅନ ଓ ରନର୍ସଅପଙ୍କୁ ଯଥାକ୍ରମେ ୨୫ ଓ ୧୫ ଲକ୍ଷ ଦିଆଯାଉଥିଲା । ସୟଦ ମୁସ୍ତାକ ଅଲି ଟ୍ରଫିରେ ଚାମ୍ପିଅନ ଓ ରନର୍ସ ଅପ୍ ପାଇବେ ୮୦ ଲକ୍ଷ ଓ ୪୦ ଲକ୍ଷ । ପୂର୍ବରୁ ଯଥାକ୍ରମେ ୨୫ ଓ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା ।
ମହିଳା କ୍ରିକେଟର ଦୁଇଟି ଘରୋଇ ଟୁର୍ଣ୍ଣାମେଣ୍ଟର ରାଶି ମଧ୍ୟ ବୃଦ୍ଧି କରାଯାଇଛି । ସିନିୟର ଦିନିକିଆ ଟ୍ରଫିରେ ଚାମ୍ପିଅନଙ୍କୁ ୬ ଓ ରନର୍ସ ଅପ୍ଙ୍କୁ ୩ ଲକ୍ଷ ମିଳୁଥିଲା । କିନ୍ତୁ ଏହା ଏବେ ବୃଦ୍ଧି ପାଇ ଯଥାକ୍ରମେ ୫୦ ଲକ୍ଷ ଓ ୨୫ ଲକ୍ଷ ହୋଇଛି । ସେମିତି ମହିଳା ଟି-ଟ୍ୱେଣ୍ଟି ଟ୍ରଫି ଚାମ୍ପିଅନଙ୍କୁ ୫ ଲକ୍ଷ ଓ ରନର୍ସଅପଙ୍କୁ ୩ ଲକ୍ଷ ମିଳୁଥିଲା । ତାହା ବୃଦ୍ଧି କରାଯାଇ ୪୦ ଲକ୍ଷ ଓ ୨୦ ଲକ୍ଷ ଟଙ୍କା କରାଯାଇଛି ।
୨୦୨୧ ମସିହାରେ ବିସିସିଆଇ ଘରୋଇ ଖେଳାଳିଙ୍କ ମ୍ୟାଚ୍ ଫି’ରେ ସଂଶୋଧନ ଆଣିଥିଲା । ସିନିୟର ପୁରୁଷ ବର୍ଗରେ ଖେଳାଳିଙ୍କୁ ପ୍ରତିଦିନ ୪୦,୦୦୦ ଓ ୬୦,୦୦୦ ଏବଂ ମହିଳା ସିନିୟର ବର୍ଗରେ ପ୍ରତିଦିନ ୨୦୦୦୦ ଟଙ୍କା ଦିଆଯାଉଛି ।