ସ୍ପଷ୍ଟ ହୋଇନାହିଁ ବାତ୍ୟା ଚିତ୍ର: ଆଇଏମଡି ଡିଜି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତାକଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ହେବକି ନାହିଁ ସ୍ପଷ୍ଟ ଜଣାପଡ଼ିବ ବୋଲି କହିଛନ୍ତି ଆଇଏମଡି ଡିଜି ।
ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା କ୍ରମେ ଉତ୍ତର ପଶ୍ଚିମକୁ ଗତିକରି ୮ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଏହାଦ୍ବାରା ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଦ୍ୱୀପ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବା ସହ ଆସନ୍ତାକାଲି ୪୦ରୁ ୫୦ କିମି ବିଗରେ ପବନ ବହିବାର ସମ୍ଭାବନା ରହିଛି । ୮ ତାରିଖରେ ସେଠାରେ ୫୫ରୁ ୭୫ କିମି ବେଗରେ ପବନ ବହିପାରେ । ଆଣ୍ଡାମାନ ସାଗରର ଲଘୁଚାପର ପ୍ରଭାବ ବର୍ତ୍ତମାନ ଓଡ଼ିଶାକୁ ନାହିଁ କାରଣ ଏହା ଓଡ଼ିଶା ଠାରୁ ବହୁତ ଦୂରରେ ରହିଛି । ଅନେକ ଦୂରରେ ଥିବାରୁ ଲଘୁଚପାର ପ୍ରଭାବ ବର୍ତ୍ତମାନ ଓଡ଼ିଶା ଉପରେ ପଡ଼ିବ ନାହିଁ ।
ବର୍ତ୍ତମାନ ସମୟରେ ଓଡ଼ିଶାରେ ଲାଗି ରହୁଥିବା ବର୍ଷା କେବଳ କାଳବୈଶାଖୀ ଜନିତ ବର୍ଷା ବୋଲି ଆଇଏମଡି ଡିଜି କହିଛନ୍ତି । ତାହା ସହ ୮ ତାରିଖ ପରେ ଏହା କୁଆଡେ ଗତିକରିବ ତାହା ଲଘୁଚାପ ହୋବା ପରେ ସ୍ପଷ୍ଟ ଜଣାପଡ଼ିବ । ଆମେ ଏଯାଏ ଏହାକୁ ବାତ୍ୟା ବୋଲି କହିନାହୁଁ । ତେଣୁ ଲୋକ ମାନେ ବାତ୍ୟାକୁ ନେଇ ବିଭ୍ରାନ୍ତ ହେବାର ଆବଶ୍ୟକ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।