‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୧୧୦ ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ ମାନ୍ୟତା’ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଦୁଇବର୍ଷ ତଳେ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁଥିବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ମନାଇ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ଏକ ପ୍ରସ୍ତାବକୁ ସଂସ୍କୃତି ବିଭାଗ ପକ୍ଷରୁ ଆଗତ କରାଯାଇଥିଲା, ଯାହାକୁ ରାଜ୍ୟ କ୍ୟାବିନେଟ ମାତ୍ର ୭ ମିନିଟରେ ଅନୁମୋଦନ ଦେଇଥିଲେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଦଳମତବର୍ଣ୍ଣ ନିର୍ବିଶେଷରେ ମେ’ ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇଥିଲେ। ଏଥିରେ ଉତ୍ସାହିତ ହୋଇଥିବା ରାଜ୍ୟ ସରକାରଙ୍କ ଉପରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ‘ସରକାରୀ ସଙ୍ଗୀତ’ ମାନ୍ୟତା ଦେବାକୁ ଚାପ ପଡ଼ିଥିଲା।ଆଜି ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିଷ୍ଠା ଓ ପ୍ରଚେଷ୍ଟା ଯୋଗୁ କାନ୍ତକବିଙ୍କ କାଳଜୟୀ ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଲା।

Leave a comment