ନବ ନିର୍ମାଣ କୃଷକ ସଂଗଠନ ବନ୍ଦ ସଫଳ, ଶତାଧିକ କର୍ମୀ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବ ନିର୍ମାଣ କୃଷକ ସଂଗଠନ ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ରାଜପଥ ରେ ଟ୍ରକ୍‌ ଗୁଡିକ ଛିଡ଼ାହୋଇ ରହିଛି । ସେହିପରି ବସ ଚଳାଚଳ କରୁନଥିବାରୁ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ସହର ଗୁଡିକ ମଧ୍ୟରେ ଯାନବାହନ ଚଳାଚଳ କରୁନାହିଁ । ସେହିପରି ରେଳଚଳାଚଳ ମଧ୍ୟ ବନ୍ଦ ରହିଛି ।

ରାଜଧାନୀରେ ଆନ୍ଦୋଳନକାରୀ ପଟିଆ-ନନ୍ଦନକାନ ରାସ୍ତା, ମାଷ୍ଟର କ୍ୟାଣ୍ଟିନ ଛକ, ଜୟଦେବ ବିହାର,ରସୁଲଗଡ଼ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

କଟକରେ ମଧ୍ୟ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ବାଲିକୁଦା ଛକ ନିକଟରେ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ସେହିପରି ରାଜ୍ୟର ଅନ୍ୟ ସହର ବ୍ରହ୍ମପୁର, କେନ୍ଦୁଝର, ବାଲେଶ୍ୱର, କୋରାପୁଟ ଆଦି ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।

ପୋଲିସ ପିକେଟିଂ ସ୍ଥଳରେ ପହଞ୍ଚି ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିବାପରେ ଯାନବାହନ ଚଳାଚଳ କିଛି ପରିମାଣରେ ସ୍ୱାଭାବିକ ହୋଇଥିଲା ।

Leave a comment