ପ୍ରବାସୀ ଶ୍ରମିକଙ୍କୁ ଚଉଦ ପୁରଷ କଥା ମନେ ପକାଇଲେ ବିଡ଼ିଓ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତମଭଳି ଦାଦନ ଶ୍ରମିକ ନୁହଁ। ମୁଁ ଜଣେ ଓଏଏସ୍‌ ଅଫିସର। ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ। ଚୁପ… ପୂରା ଚୁପ୍। ତମ ଚଉଦ ପୁରଷ ଏଠାରେ ଛିଡା ହେବେ। ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢଙ୍ଗରେ ଗାଳି କରିଛନ୍ତି ବାଲିଆପାଳ ବିଡିଓ ଛବିରାଣୀ ସାହୁ।

ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ସୂଚନା ମୁତାବକ, ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ରନଗରରୁ ଟ୍ରେନ୍‌ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ। ବ୍ଳକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା। କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ।

କେହି ନ ଆସିବାରୁ ଭୋକଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବିଡିଓ। ସେମାନଙ୍କୁ ଗାଳିଗୁଲଜ କରିବା ସହ ସବୁ ବ୍ୟବସ୍ଥା ଶେଷ ହେବା ପର୍ଯ୍ୟନ୍ତ ସେମିତି ଛିଡା ହେବ ବୋଲି କହିଥିଲେ। ଦୁଇଦିନ ହେଲା ଟ୍ରେନରେ କିଛି ଖାଇନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଏହି ଶ୍ରମିକମାନେ ବିଡ଼ିଓଙ୍କ ଗାଳିଶୁଣି ମୁଣ୍ଡକାନ ଆଉଁସି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପକ୍ଷରେ, କରୋନା ଯୁଦ୍ଧରେ ଜିତିବା ପାଇଁ ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ମଧ୍ୟ ପ୍ରତିଦିନ ଲୋକଙ୍କୁ ଜୀବନର ନୂଆଦର୍ଶନ ଓ ପ୍ରେରଣା ଯୋଗାଇ ଉତ୍ସାହିତ କରୁଛନ୍ତି। କିନ୍ତୁ କେତେକଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀ ଯୋଗୁଁ ସରକାର ବଦନାମ ହେଉଛନ୍ତି। ଭିଡ଼ିଓ ଭାଇର।ଲ ହେବାପରେ ବିଡ଼ିଓ କହିଛନ୍ତି ଆମ ପିଲା ବୋଲି ଏମିତି କହିଦେଲି ।

Leave a comment