କରୋନାରେ ଚାଲିଗଲେ ବାପା ମା: କୁନି ଝିଅ ସମ୍ଭାଳୁଛି ଦେଢ଼ ମାସର ଭାଇକୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଅଁଳ କାନ୍ଧରେ ବଡ ଦାୟିତ୍ବ । ୧୫ ଦିନ ବ୍ୟବଧାନରେ ବାପାମାଆଙ୍କୁ ନେଇ ଗଲା କରୋନା । ଏବେ ୮ ବର୍ଷର ଝିଅ ଉପରେ ଦେଢ଼ ମାସର ଭାଇର ଦାୟିତ୍ବ । ବାଲେଶ୍ବର ଜିଲ୍ଲା ଭୋଗରାଇ ନିମାତପୁର ଗାଁର ଏଭଳି ଘଟଣା ଦେଖିବାକୁ ମିଳିଛି। ସାନ ଭାଇକୁ ବଡ କରିବାକୁ କୁନି ବୟସରେ ସେ ଦେଖିଛି ଅସୁମାରୀ ସ୍ବପ୍ନ । ତୁନି ହଅ, ଆଉ କାନ୍ଦନା, ତୋ ଲୁହ ପୋଛିବାକୁ ପରା ମୁଁ ଅଛି । ତୋ ଅଳି ଶୁଣିବି, ତତେ ଗେଲ କରି ଖୁଆଇଦେବି, ଅବୁଝା ହେଲେ ଦୋଳିରେ ଝୁଲେଇ ଦେବି । ବାପା ମାଆ ସିନା ପର କରି ଚାଲିଗଲେ, ହେଲେ ମୁଁ ତତେ ସ୍ନେହ ମମତା ଦେବାରେ କେବେ ଉଣା କରିବିନି ।
ବାପା ମାଆ ଉଭୟ ଥିଲେ କରୋନା ଯୋଦ୍ଧା। ମାଆ ସ୍ମିତା ପଣ୍ଡା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ। ବାପା କମଳେଶ ରେଳବାଇରେ କାମ କରୁଥିଲେ। ନୂଆ ଅତିଥି ଅପେକ୍ଷାରେ ପୂରା ପରିବାରରେ ଉତ୍ସାହ ଥିଲା। ହେଲେ କାଳ ହୋଇ ଆସିଥିଲା କରୋନା। ପ୍ରସବର କିଛି ଦିନ ପୂର୍ବରୁ ସ୍ମିତା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ଜନ୍ମ ହୋଇଥିଲା। ଆଉ ୭ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ସ୍ମିତା। କମଳେଶ ବି ମାତ୍ର ୧୪ ଦିନ ପରେ ଆଖି ବୁଜିଲେ ।