‘ବନ୍ଧୁ ମିଳନ’ରେ ସମର୍ଥକଙ୍କ ହୃଦୟ ଜିତିଲେ ବାଇଁଆ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ ନମ୍ବର ୱାର୍ଡର କର୍ପୋରେଟର ତଥା ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା ଓରଫ ବାଇଁଆ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟର ସମସ୍ତ ୧୯ଟି ୱାର୍ଡ ର ସମର୍ଥକ ଓ ନେତା ଯୋଗ ଦେଇଥିଲେ । ଏପରିକି ଏକାମ୍ର କ୍ଷେତ୍ରରୁ ମଧ୍ୟ ଶହଶହ ସମର୍ଥକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବାଇଁଆଙ୍କୁ ସମ୍ପୂର୍ଣ୍ଣରୂପେ ସମର୍ଥନ କରିଥିଲେ ।
ଆଜି ସକାଳେ ଭୁବନେଶ୍ୱରର କେଶରୀ ହଲ, ଝାରପଡା, ଫରେଷ୍ଟ ପାର୍କ ଓ ଆଇଜି ପାର୍କ ପାଖରୁ ୪ଟି ବାଇକ ରାଲି ରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଆସିଥିଲେ । କିଛି ସମୟ ପାଇଁ ରାଜଧାନୀ ଏକ ପ୍ରକାର ଜାମ ହୋଇଯାଇଥିଲା । ବାଇଁଆ ଙ୍କ ଲୋକପ୍ରିୟତା ଏବଂ ଶକ୍ତି ପ୍ରଦର୍ଶନ ଦେଖି ବିରୋଧି ଶିବିରରେ ଛନକା ପଶିଯାଇଛି । ଅମରେଶଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସତେ ଯେମିତି ଏକ ବିରାଟ ସାଧାରଣ ସଭାରେ ପରିଣତ ହୋଇଥିଲା ।
ଏହି ଅବସରରେ ଅମରେଶ ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ‘ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଗାଁ-ଗଣ୍ଡାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି । ହେଲେ କିଛି ନ୍ୟାସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଠା କରୁଥିବା ଲୋକଙ୍କ ଗୋଡ ଟାଣୁଛନ୍ତି । ତେବେ ଏଣିକି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ତଥା ବିକାଶରେ ବାଧକ ସାଜିବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ” ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି ସଭାପତିତ୍ୱ କରି କହିଥିଲେ, “ଦେଶ ତଥା ରାଜ୍ୟକୁ ବିକାଶ କରିବାକୁ ହେଲେ ଆମକୁ ଉଦୟମାନ ଯୁବନେତୃତ୍ୱର ଆବଶ୍ୟକତା ରହିଛି । ଦୌଡି ପାରୁଥିବା ଘୋଡାକୁ ରେସ୍ରେ ସାମିଲ କରାଯିବା ଉଚିତ, ଛୋଟା ଘୋଡାକୁ ନୁହେଁ । ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ । ତେଣୁ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ନୂଆ ସଂକଳ୍ପ ନେଇ ବାଇଁଆକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ” ।
କାଯ୍ୟକ୍ରମରେ କର୍ପୋରେଟର ଲିଟୁ ମହାସୁପକାର, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ ସାହୁଙ୍କ ସମେତ ଅନେପୂର୍ବତନ କର୍ପୋରେଟର, ଉଇ ଫର ଭୁବନେଶ୍ୱରର ସଦସ୍ୟମାନେ ଯୋଗଦେଇ ବାଇଁଆକୁ ସହଯୋଗ କରିବାକୁ କହିଥିଲେ ।