ଜାମିନ ଆବେଦନ ଖାରଜ ପରେ କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜୟଦେବ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାମିନ ଆବେଦନ ଖାରଜ ପରେ ଖୋର୍ଦ୍ଧା କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜୟଦେବ । ଖୋର୍ଦ୍ଧା ହସ୍ପିଟାଲରେ ହେଲେ ଭର୍ତ୍ତି । ଆଜି ବିଧାୟକ ପ୍ରଶାନ୍ତ ଜଗଦେଵ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ବିଧାୟକଙ୍କୁ ଗିରଫ ଦାବି ରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍ସିଏସ୍ଟି ଆଗ୍ରେସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ବିଧାୟକ ନିଜର ଗିରଫଦାରିକୁ ଏଡ଼ାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାୟକ ଜଗଦେବଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମଧ୍ୟ ବିଧାୟକଙ୍କ ନାଁରେ ଅନେକ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଥର ବିଧାୟକଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନେଇ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ବାଲୁଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚି ନିରଞ୍ଜନ ଙ୍କୁ ଜାତିଆଣ ଆକ୍ଷପ କରି ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।