କେନ୍ଦ୍ରାପଡ଼ାରେ ବିଜେଡି ବିରୋଧରେ ବର୍ଷିଲେ ବୈଜୟନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁବାବୁଙ୍କ ମୃତ୍ୟୁ ପରେ ଗଠନ ହୋଇଥିବା ବିଜେଡିରେ ଗତ କିଛି ବର୍ଷ ହେବ ବିଶୃଙ୍ଖଳାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସାଧାରଣ ଜନତାଙ୍କ ବିକାଶକୁ ରୋକାଯାଉଛି । କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ ସୋମବାର ବିଜେଡି ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ବୈଜୟନ୍ତ ବିଜେପିରେ ଯୋଗଦେବା ପରେ ସୋମବାର ସନ୍ଧ୍ୟାରେ ତାଙ୍କୁ କେନ୍ଦ୍ରାପଡ଼ାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥିତ ମାଉସୀମା ମନ୍ଦିର ରଥ ଦାଣ୍ଡରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଜିଲ୍ଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବୈଜୟନ୍ତ କହିଥିଲେ, ବିଜେଡି ତା’ର ମୂଳ ଲକ୍ଷ୍ୟ ଓ ଆଦର୍ଶକୁ ଭୁଲିଯାଇଛି । ବିଜେପି ସହ ଗଠବନ୍ଧନ ଭାଙ୍ଗିବା ପରେ ବିଜେଡି ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇଯାଇଛି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଓ ଆଦର୍ଶକୁ ପ୍ରଶଂସା କରିଥିଲେ । ଏଥିସହ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ମହିଳା ଓ ଶିଶୁ କନ୍ୟାଙ୍କ ପ୍ରତି ନିର୍ଯାତନା ବଢ଼ିଚାଲିଛି । କେନ୍ଦ୍ରାପଡା ବିକାଶରେ ବିଜେଡି ବାଧକ ସାଜୁଛି । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଉନାହିଁ । ପୋସ୍କୋ ପରି ଶିଳ୍ପ ସଂସ୍ଥାଙ୍କୁ ଗଣ୍ଡଗୋଳ ମାଧ୍ୟମରେ ତଡି ଦିଆଯାଇଛି ବୋଲି ବୈଜୟନ୍ତଙ୍କ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ, ଭୁବନମୋହନ ଜେନା, ବିଷ୍ଣୁ ଦାସ, ଅଲେଖ ଜେନା, ଦୋଳଗୋବିନ୍ଦ ନାୟକ ଓ ଉତ୍କଳ କେଶରୀ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

Leave a comment