ପରାଜୟର କାରଣ ଦେଇପାରୁନାହାଁନ୍ତି ବୈଜୟନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲୁଚୁଛନ୍ତି ବୈଜୟନ୍ତ ପଣ୍ଡା । ନବୀନଙ୍କ ଲୋକପ୍ରିୟତା ଠାରୁ ନିଜ ଲୋକପ୍ରିୟତା ଓ ସୋସିଆଲ ମେଡିଆରେ ତାଙ୍କ ଦବଦବା ଖୁବ ଅଧିକ ବୋଲି ଦର୍ଶାଇଥିଲେ କେନ୍ଦ୍ରରେ । ଓଡ଼ିଶାରେ ନୂଆ ଦଳ ଗଢିବାକୁ କରିଥିଲେ ଚେଷ୍ଟା । ନୂଆ ଦଳ ଗଠନ କରିବାକୁ ଅସଫଳ ହେବା ପରେ କେନ୍ଦ୍ରରେ ଖେଳିଥିଲେ ଖେଳ । ଦିଲ୍ଲୀ ଯାଇ ଯୋଗଦେଇଥିଲେ ବିଜେପିରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରି ନିଜକୁ ସ୍ୱଚ୍ଛ ଦର୍ଶାଇବାକୁ କରିଥିଲେ ଭରପୁର ଚେଷ୍ଟା । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାଇଁ ପ୍ରଚାର କରିବାକୁ ଆସି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରି ଅନେକ କିଛି କହିଥିଲେ । ସମସ୍ତେ ଭାବିଥିଲେ ବିଜେପିରୁ ସାଂସଦ ଟିକେଟ ନେଇ ଲଢ଼ୁଥିବା ବୈଜୟନ୍ତ ଏଥର ବୋଧେ ନିର୍ବାଚନ ଜିତିଯିବେ । ମାତ୍ର ଭୋଟ ଗଣତି ବେଳେ ଫଳ ଆସିଲା ଓଲଟା । ବୈଜୟନ୍ତ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ଏକ ଲକ୍ଷ ଭୋଟରେ ପରାସ୍ତ ହୋଇଥିଲେ । ନିର୍ବାଚନ ପୂର୍ବରୁ ବଡ଼ବଡ଼ ଭାଷଣ ବାଜି କରୁଥିବା ବୈଜୟନ୍ତ ନିର୍ବାଚନ ଫଳାଫଳ ପରେ ଆଉ ଦେଖାଯାଉ ନାହାନ୍ତି । ବର୍ତ୍ତମାନ ସେ ଶାହାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଡରୁଛନ୍ତି । ଶାହା ବୈଜୟନ୍ତଙ୍କୁ ପ୍ରଶ୍ନ କରିଛନ୍ତି ଯଦି ପ୍ରଥମ ଥର ନିର୍ବାଚନ ଲଢ଼ି ଅପରାଜିତା ଷଢଙ୍ଗୀ ଓ ନିଜ ନିର୍ବାଚନ ମଣ୍ଡଳୀ ନହୋଇ ସୁରେଶ ପୂଜାରୀ ନିର୍ବାଚନ ଜିତିପରିଲେ ତେବେ ସେ କାହିଁକି ନୁହେଁ ।
ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନୀ ଫଳାଫଳ ପରେ, ବୈଜୟନ୍ତ କେବଳ ନିଜ ଅଧୀନରେ ଥିବା ସୋସିଆଲ ମେଡିଆକୁ ବ୍ୟବହାର କରି ନିଜ ଲୋକପ୍ରିୟତା ବଢାଇବାକୁ ଚେଷ୍ଟା କରିଥିଲେ ବୋଲି ବିଜେପି ଦଳ ତରଫରୁ ଅଭିଯୋଗ ହେଉଛି । ସେ ଜନସମ୍ପର୍କ ବଢାଇବାକୁ ଲୋକଙ୍କ ପାଖରେ ପହଞ୍ଚି ନଥିଲେ । ତେଣୁ ବିଜେପିକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏପରିକି କେନ୍ଦ୍ରାପଡା ନିଜ ଗଡ ହୋଇ ପାଟକୁରା ନିର୍ବାଚନ ମଣ୍ଡଳୀରେ କେବଳ ସାଂସଦ ପ୍ରାର୍ଥୀ ପାଇଁ ମତଦାନ ହୋଇ ମଧ୍ୟ ବୈଜୟନ୍ତ ଖୁବ କମ ଭୋଟ ପାଇଥିଲେ । ରାଜ୍ୟ ବିଜେପି ବାରିଷ୍ଠ ନେତାମାନେ ଅପରାଜିତା ଷଢଙ୍ଗୀ ଓ ସୁରେଶ ପୂଜାରୀଙ୍କ ଉଦାହରଣ ଦେଇ କହୁଛନ୍ତି କି, ସେମାନେ ଲୋକସମ୍ପର୍କ ବଢ଼ାଇ ଥିବାରୁ ନିର୍ବାଚନ ଜିତିଛନ୍ତି । ମାତ୍ର ବୈଜୟନ୍ତ କେବଳ ବଡ଼ବଡ଼ ବୟାନ ବାଜି କରିବାରୁ ନିଜ ନିର୍ବାଚନ ମଣ୍ଡଳୀ ହୋଇ ମଧ୍ୟ ପରାଜିତ ହୋଇଛନ୍ତି ।