ଜନ୍ମବେଦୀରେ ସରିଲା ଲୀଳାଖେଳା, ସିଂହଦ୍ଵାରରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ସୁନାବେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦୀରେ ଲୀଳାଖେଳା ସାରି ସିଂହଦ୍ଵାର ନିକଟକୁ ବାହୁଡ଼ି ଆସିଛି ତିନି ରଥ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା। ରଥଯାତ୍ରା ପରି ବାହୁଡାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସମ୍ପାଦିତ ହୋଇଛି। ଆଜି ଭକ୍ତମାନେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କ ବାହୁଡ଼ା ପର୍ବର ଦର୍ଶନ କରିଥିଲେ। କର୍ଫ୍ୟୁକୁ ପୁରୀ ସହରବାସୀ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ଆସନ୍ତାକାଲି ରଥାରୂଢ ଶ୍ରୀବିଗ୍ରହଙ୍କ ଅନନ୍ୟ ଓ ଦୁର୍ଲଭ ସୁନାବେଶ ହେବ।
ଉଚ୍ଛନ୍ନ ଥିଲେ ଲକ୍ଷ୍ମୀକାନ୍ତ। ନୀଳକନ୍ଦର ତାଙ୍କ ଉଛୁର କଲାଣି। ତେଣୁ ଆଜି ସଅଳ ସଅଳ ସବୁକିଛି ହୋଇଥିଲା। ୪ ଘଣ୍ଟା ପୂର୍ବରୁ। ଗତକାଲି ସନ୍ଧ୍ୟାଧୂପ ପରେ ଶୀଘ୍ର କୁସୁମୀ ଓ ସେନାପଟା ଲାଗି ସରିଥିଲା। ଆଜି ସକାଳ ୭.୪୦ ରେ ପହଣ୍ଡି ଆରମ୍ଭ ହୋଇଥିଲା। ୧୦.୨୦ରେ ଶେଷ ହୋଇଥିଲା। ୧୦.୨୫ ରୁ ୧୦.୪୫ ମଧ୍ୟରେ ମଦନମୋହନ, ରାମ କୃଷ୍ଣ ବିଜେ ହୋଇଥିଲେ। ଏହାପରେ ଗଜପତି ମହାରାଜ ତାମଯାନରେ ରଥ ନିକଟକୁ ଆସି ତିନି ରଥରେ ଛେରାପହଁରା କରିଥିଲେ। ଚାରମାଳ ଖୋଲାଯାଇ ଘୋଡା ଯୋଚାଯିବା ପରେ ପ୍ରଥମେ ୧୨.୨୦ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ, ପରେ ପରେ ୧୨.୫୫ ଦେବଦଳନ ଗଡ଼ିଥିଲା। ଅପରାହ୍ନ ୧.୨୦ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର ଅଭିମୁଖେ ଗଡ଼ିଥିଲା।
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତ୍ୟେକଟି ରାସ୍ତାକୁ ସିଲ କରାଯାଇଥିଲା। ପାଟ୍ରୋଲିଂ ଗାଡି ତୁହାକୁ ତୁହା ପଇଁତରା ମାରୁଥିଲା। କୌଣସି ଛାତ କି ବାଲକୋନି ଉପରେ କେହି ବି ଆସିବାକୁ ସାହସ କରିନଥିଲେ। ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏଥର ବି ଭକ୍ତଙ୍କ ପାଇଁ ଟିଭି ହିଁ ହୋଇଥିଲା ମାଧ୍ୟମ । ପହଣ୍ଡି ଠାରୁ ଛେରାପହଁରା ରଥ ଟଣା ଶ୍ରୀଜୀଉଙ୍କ ସମସ୍ତ ନୀତି ନ୍ୟୁଜ ସେଭେନରେ ଦର୍ଶନ କରି ବିଭୋର ହୋଇଥିଲେ ଭକ୍ତ। କିଏ ଟିଭି ସାମ୍ନାରେ ଦୀପଟିଏ ଲଗାଇଥିଲା ତ କିଏ ନଡ଼ିଆଟିଏ ବଢ଼ାଇ ଦେଇଥିଲା। କୋଭିଡ ସମୟରେ ସେତିକି ଦର୍ଶନ ମିଳିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ। ତିନି ରଥ ଉପରେ ନୀତି ସହ ସମ୍ପୃକ୍ତ ସ୍ୱଳ୍ପ ସେବାୟତ ବସିଥିଲେ। ପ୍ରତ୍ୟକ ରଥ ଟାଣିବା କାର୍ଯ୍ୟରେ ନିୟୋଜିତ ଥିଲା ୫୦୦ ସେବାୟତ।

Leave a comment