ଆସନ୍ତାକାଲି ବାହୁଡ଼ା ଯାତ୍ରା; ଜାଣନ୍ତୁ ନୀତି ନିର୍ଘଣ୍ଟ

ଆସନ୍ତାକାଲି ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିବେ ମହାପ୍ରଭୁ । ନାକଚଣା ଦ୍ୱାର ଆଗରେ ପ୍ରସ୍ତୁତ ହୋଇ ଠିଆ ହୋଇଛି ତିନି ରଥ । କାଲି ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀଜଗନ୍ନାଥ । ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି ।
ଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ଆସନ୍ତାକାଲି ଭୋର ୪ ଟାରେ ମଙ୍ଗଳ ଆଳତି, ଭୋର ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି, ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଅନ୍ୟପଟେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୭୫ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦୦ ପୁଲିସ ଅଧିକାରୀ ମୁତୟନ ରହିବେ ।