ଶ୍ରୀନଅରକୁ ବହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଗୀତଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଲା ସିଂହଦ୍ଵାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ସଂପନ୍ନ ହେଲା ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଗୀତଗୋବିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଲା ସିଂହଦ୍ଵାର । ରାଜ୍ୟ ସରକାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତ ଏବଂ ପୁରୀ ପୋଲିସର ମିଳିତ ଉଦ୍ୟମରେ ସୁରୁଖୁରୁରେ ସଂପନ୍ନ ହେଲା ବାହୁଡ଼ା ଯାତ୍ରା । ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା।

ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ ରଥାରୁଢ ହେବାପରେ ମହାରାଜାଙ୍କ ଦ୍ବାରା ଛେରା ପହଁରା ନୀତିଶେଷ ହୋଇଥିଲା । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ । ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଥିଲା ଚତୁର୍ଦ୍ଦିଗ । ଚାରିଆଡ଼େ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଥିଲା ତିନି ରଥ । ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସଂପନ୍ନ ହୋଇଥିଲା । ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଥିଲେ । ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ତାଳଧ୍ବଜ ରଥକୁ ବିଜେ କରିଥିଲେ ।

ଭକ୍ତିମୟ ପରିବେଶ ମଧ୍ୟରେ, ସେବାୟତଙ୍କ ଦ୍ୱାରା ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରୁଥିବାର ସୁନ୍ଦର ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ମନମୋହକ ଦୃଶ୍ୟକୁ ଦେଖି ସମସ୍ତେ ଭାବ ବିହଳିତ ହୋଇଥିଲେ । ଶ୍ରୀଚତୁର୍ଦ୍ଧାବିଗ୍ରହ ରଥାରୂଢ ହେବା ପରେ ଶ୍ରୀ ରାମକୃଷ୍ଣ ତାଳଧ୍ଵଜ ରଥକୁ ଓ ଶ୍ରୀ ମଦନମୋହନ ନନ୍ଦିଘୋଷ ରଥକୁ ବିରାଜମାନ କରିଥିଲେ ।

ତିନି ରଥରେ ଗଜପତି ମହାରାଜାଙ୍କ ଦ୍ଵାରା ପାରମ୍ପରିକ ଛେରା ପହଁରା ନୀତି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଏହାପରେ ତିନି ରଥରେ ଚାରମାଳ ଫିଟାଯାଇ ଘୋଡା ଯୋଚା ସମ୍ପନ୍ନ ହୋଇଥିଲା । ପ୍ରତୀକ୍ଷାର ଅନ୍ତ ଘଟି ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା ।

କାଳିଆ ଦର୍ଶନ ସାତ ସପନ ହୋଇ ରହିଗଲା । ଭକ୍ତ ବିହୁନେ ସିଂହଦ୍ୱାର ଫେରିଲେ ନୀଳାଦ୍ରିନାଥ । ଭକ୍ତଙ୍କ ପାଇଁ କଟକଣା ଜାରି ହୋଇଥିବାରୁ । ଭକ୍ତଙ୍କ ପାଇଁ ବଡ଼ଦାଣ୍ଡ ମନା ହୋଇଛି । ଘର ଛାତ ତଥା ବାଲକୋନୀରୁ ପ୍ରଭୁଙ୍କ ରଥଯାତ୍ରା ଦର୍ଶନ ଉପରେ ମଧ୍ୟ ଲାଗିଥିଲା । କେବଳ ସେବାୟତ ବାହୁଡ଼ା ରଥକୁ ଟାଣିବାକୁ ଅନୁମତି ପ୍ରଦାନ କରାଯାଇଥିଲା । କର୍ଡନ ଭିତରେ କୋଭିଡ୍‌ କଟକଣାରେ ରଥ ଟଣାଯାଇଥିଲା । ଡ୍ୟୁଟିରେ ଥିବା ଅଫିସରମାନେ ମଧ୍ୟ କଟକଣାକୁ ଅନୁପାଳନ କରିଥିଲେ ।

ପୂର୍ବରୁ ପାଣିପାଗ ବିଭାଗ ଟାଣ ଖରା ହେବା ଆକଳନ କରିଥିଲା । ମାତ୍ର ବାହୁଡା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ଭିଜି ଭିଜି ସେବାୟତମାନେ ରଥକୁ ଟାଣିନେଇଥିଲେ । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କଟକଣା ଲାଗୁ ହୋଇଥିଲା ।

ଗତବର୍ଷ ଭଳି ଏଥର ବି ଭକ୍ତ ମନରେ ଅବଶୋଷ ରହିଗଲା । ଏଥର ବି ଜଗାର ଡୋରି ଲାଗିଲାନି । କରୋନା ପାଇଁ ବିନା ଭକ୍ତରେ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମାପନ ହୋଇଗଲା ।

Leave a comment